ଭୁବନେଶ୍ୱର: ମହାରାଷ୍ଟ୍ର ବାରାମତିରେ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ବାରାମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ସମଗ୍ର ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି। ଅଜିତ ପାୱାରଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତିରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା। କିନ୍ତୁ, ବାରାମତି ବିମାନବନ୍ଦର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯେଉଁଥିପାଇଁ ବିମାନର ପାଇଲଟ୍ ନିୟନ୍ତ୍ରଣ ହରାଇ ବସିଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା।
ଏନେଇ ଓଡିଶାର ବିଭିନ୍ନ ରାଜନେତା ଅଜିତ ପାୱାରଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ୍ସ’ ଯୋଗେ ଶୋକ ବ୍ୟକ୍ତ କରିବା ସହ ଲେଖିଛ ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଜୀଙ୍କ ସହ ୫ ଜଣ ସହଯାତ୍ରୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଂଗତ ଆତ୍ମାମାନଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରୁଛି। ଏଭଳି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ପରିବାରବର୍ଗ ଏବଂ ଶୁଭେଚ୍ଛୁମାନଙ୍କ ପ୍ରତି ସମବେଦନା ଜଣାଉଛି।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲେଖିଛନ୍ତି ଦୁଃଖଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରୁଛି। ଏଭଳି ଦୁଖଃଦ ପରିସ୍ଥିତିରେ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରିବାରବର୍ଗଙ୍କୁ ଧୈର୍ଯ୍ୟ ପ୍ରଦାନ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି!
ଏହା ସହ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ‘ଏକ୍ସ’ ଯୋଗେ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ନବୀନ। ସେ ‘ଏକ୍ସ’ରେ ଲେଖିଛନ୍ତି, ବାରାମତି ନିକଟରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ବିଷୟରେ ଜାଣି ଗଭୀର ମର୍ମାହତ ଏବଂ ଦୁଃଖିତ । ପରିବାର, ବନ୍ଧୁ ଏବଂ ସମର୍ଥକଙ୍କ ପ୍ରତି ମୁଁ ହୃଦୟର ସହାନୁଭୂତି ଜଣାଉଛି। ଓମ୍ ଶାନ୍ତି ।
ଅନ୍ୟପଟେ ବାରବାଟୀ ବିଧାୟିକା ଶୋଫିଆ ଫେର୍ଦୋଷ ମଧ୍ୟ‘ଏକ୍ସ’ ଯୋଗେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ବରାମତୀରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ତାଙ୍କ ପରିବାର, ସହଯୋଗୀ ଓ ସମର୍ଥକମାନଙ୍କ ପ୍ରତି ହୃଦୟସ୍ପର୍ଶୀ ସମବେଦନା। ଏହି ଦୁର୍ଘଟଣା ଲକ୍ଷ-ଲକ୍ଷ ଲୋକଙ୍କୁ ଗଭୀର ଭାବେ ଆଘାତ ଦେଇଛି । ଏଭଳି ଦୁଖଃଦ ପରିସ୍ଥିତିରେ ସମସ୍ତଙ୍କୁ ସାହସ ପାଇଁ ପ୍ରାର୍ଥନା।
ଅଧିକ ପଢନ୍ତୁ : ଅଜିତ ପାୱାର ଜଣେ ପ୍ରଖର ରାଜନେତା ଓ ସର୍ମପିତ ଜନସେବକ: ମୁଖ୍ୟମନ୍ତ୍ରୀ