ଭୁବନେଶ୍ୱର: ଯେଉଁ ବାଣରେ କିଛି ବର୍ଷ ପୂର୍ବେ ପରିବାର ଦୁଇ ଜଣ ସଦସ୍ୟ ପ୍ରାଣ ହରାଇଥିଲେ । ପୁଣି ଥରେ ସେହି ବାଣ ବିସ୍ଫୋରଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ଗ୍ରାମ ନିଧି ସାହିରେ ବାଣ ବିସ୍ଫୋରଣ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ଭିଡ଼ା ଚାଲିଥିବାବେଳେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଗୁରୁତର ଅଛନ୍ତି । ମୃତକ ହେଲେ ଅଭିନା କାଣ୍ଡି ଏବଂ ଗୁରୁତର ବ୍ୟକ୍ତି ହେଲେ ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡ଼ି । ସମସ୍ତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ନିଧି ସାହିରେ ବିସ୍ଫୋରଣର ଭୟଙ୍କର ଶବ୍ଦ ହୋଇଥିଲା । ପଡ଼ୋଶୀ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ପରେ ବାଣ ବିସ୍ଫୋରଣ ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଅଭିନା କାଣ୍ଡି, ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡ଼ିଙ୍କୁ ସ୍ଥାନୀୟ ନିଆଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାବସ୍ଥା ସଙ୍ଗୀନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ କିଛି ବର୍ଷ ପୂର୍ବେ ଅଭିନାଙ୍କ ମାଆ ଓ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏହି ବାଣ କାରଖାନା ବେଆଇନ ଭାବେ ଚାଲୁଥିଲା ବୋଲି ଅଭିଯୋଗ ହୋଇଛି । ଏଠାରେ ବାଣ ନୁହେଁ ବୋମା ଭିଡ଼ା ଯାଉଥିଲା ବୋଲି କିଛି ଲୋକେ ଅଭିଯୋଗ କରିଛନ୍ତି । ବାଲିପାଟଣା ଥାନା ପୋଲିସ ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯୋଗ୍ୟ, ଗତକାଲି ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣରେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ଫିଲ୍ଡ ଭିଜିଟ୍ ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଥିଲେ । ଆହତଙ୍କ ମଧ୍ୟରୁ ତିନିଜଣ ମହିଳା ରହିଛନ୍ତି ।