ସିନ୍ଧେକେଲା: ପୁଣି ଦାଦନ ଖଟିବାକୁ ଯାଇ ଚାଲିଗଲା ଦୁଇ ଦୁଇଟା ଜୀବନ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଅଭିରାମ କଟା (୪୫) ଓ ତାଙ୍କର ପୁଅ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଯାଇ ନିଜ ଜୀବନ ହାରିଛନ୍ତି।
ସୂଚନା ଥାଉକି ଅଭିରାମ ଓ ଉତ୍ତମ ତାମିଲନାଡୁର ଧର୍ମପୁରୀ ଜିଲ୍ଲା ଅନ୍ତର୍ଗତ କୋଟାପଟ୍ଟି ଥାନା ଅଧୀନସ୍ଥ ଏସକେଏମ ଏନିମଲ ଫିଡ ଏଣ୍ଡ ଫୁଡ୍ ଇଣ୍ଡିଆ ଭିଏସ ଲିମିଟେଡରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ କୌଣସି କାରଣରୁ ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ଏହାପରେ ତାମିଲନାଡୁରୁ ସିନ୍ଧେକେଲା ପୁଲିସକୁ ଯୋଗାଯୋଗ କରାଯାଇଥିଲା। ପରେ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ଜଣାଇବା ପାଇଁ ଯୋଗାଯୋଗ କରାଯାଇଛି । ତେବେ ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଓଡ଼ିଶାକୁ ଉଭୟଙ୍କ ମୃତଶରୀର ପଠାଯିବ ବୋଲି ସୂଚନା ମିଳିଛି।