ଭୁବନେଶ୍ୱର: ଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏମ କଲେଜ ଛାତ୍ରୀ । ଜୀବନ ମରଣ ସହ ସଂଘର୍ଷ ପରେ ଆଖି ବୁଜିଛନ୍ତି ପିଡ଼ିତା । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ଜୁଲାଇ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଦେହାନ୍ତ ଘଟିଛି । ଗତ ଶନିବାର ନିଜ ଦେହରେ ନିଆଁ ଲଗାଇ ଏଫଏମ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି । ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ, ସୌମ୍ୟାଶ୍ରୀ ବିଶି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀ । ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଜୀବନ ହରିବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ରାତି ୧୧ଟା ୪୬ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା ।