ବଡ଼ମ୍ବା ବନାଞ୍ଚଳରେ ଏକ ପୁଣି ଏକ ମାଈ ହାତୀ ଛୁଆର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ହାତୀ ଛୁଆଟିର ମୃତଦେହକୁ ବନ ବିଭାଗ କର୍ମଚାରୀମାନେ ବନାଞ୍ଚଳ ଅନ୍ତର୍ଗତ ଛାଞ୍ଚୁଣିଆ ନିକଟସ୍ଥ ତଳ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲରେ ଠାବ କରିଛନ୍ତି। ତେବେ ହାତୀର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ସ୍ପଷ୍ଟ ହୋଇ ପାରିନାହିଁ। ତେଣୁ ଏ ନେଇ ତଦନ୍ତ ଜାରି ରଖିଛନ୍ତି ବନ ବିଭଗ କର୍ମଚାରୀ।
ସୂଚନା ଅନୁସାରେ, ଆଜି ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଛାଞ୍ଚୁଣିଆ ନିକଟସ୍ଥ ତଳ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ଛୁଆର ମୃତଦେହ ଠାବ କରିଥିଲା ବନ ବିଭାଗ। ଏହାପରେ ଅନଗୁଳ ସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ , ଏସିଏଫ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରିଥିଲେ। ପରେ ପରେ ବଡ଼ମ୍ବା ବ୍ଲକର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଓ ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଛୁଆ ହାତୀର ଶବ ବ୍ୟବଛେଦ କରିଥିଲେ। ଶବ ବ୍ୟବଛେଦ କରିଥିବା ପ୍ରାଣୀ ଚିକିତ୍ସକଙ୍କ କହିବାନୁଯାୟୀ ଆନୁମାନିକ ୧ରୁ ୨ ମାସର ଏହି ମାଈ ହାତୀ ଛୁଆଟି ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଛି। ତେଣୁ ହାତୀ ଛୁଆଟିର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।