ଜୀବନକୁ ଭଲ କରି ଦେଖିବା ପୂର୍ବରୁ ଅଫେରା ରାଇଜକୁ ଚାଲିଗଲା ଝିଅ । ଦୀର୍ଘ ଦିନ ଧରି ମେଡ଼ିକାଲ୍ ବେଡ୍ରେ ଜୀବନ ସହ ସଂଘର୍ଷ କରି ଶେଷରେ ହାରିଗଲା । ଆଉ ଜନ୍ମ ଦେଇଥିବା ବାପା-ମାଆଙ୍କୁ କନ୍ଦାଇ ଦେଇଗଲା । ବାପା-ମାଆଙ୍କ ଆଖିରୁ ସିନା ଲୁହ ଝରୁଛି ହେଲେ ସେମାନଙ୍କ ଛାତି ଗର୍ବ ରେ ଫୁଲି ଉଠୁଛି । କାରଣ ଜୀବନ ହାରି ବି ତାଙ୍କ ଝିଅ ଅମର ହୋଇଛି । ଛୋଟ ବୟସ ରେ ଜୀବନ ହାରି ଅନ୍ୟ ଙ୍କୁ ଦେଇଛି ପୁନର୍ଜନ୍ମ ।
ମୃତ୍ୟୁ ପରେ ଅଙ୍ଗ ଦାନ କରି ସମାଜ ରେ ଉଦାହରଣ ସୃଷ୍ଟି କରିଛନ୍ତି ୧୪ ବର୍ଷୀର ଝିଅ ଦମୟନ୍ତି । କେନ୍ଦୁଝର ବରେଇଗୋଡ଼ା ଗାଁର ଦୁଃଖବନ୍ଧୁ ମହାନ୍ତି ଓ ବନିତା ମହାନ୍ତିଙ୍କ ଝିଅ ଦମୟନ୍ତୀ । ଦୁଃଖବନ୍ଧୁ ଭୁବନେଶ୍ୱରରେ ଅଟୋ ଚଳାଇବା ସହିତ ପରିବାର ସହିତ ବେଶ୍ ହସ ଖୁସି ରେ ରହୁଥିଲେ । ହେଲେ ତାଙ୍କ ହସ ଖୁସିର ସଂସାରରେ ହଠାତ ମାଡିଆସିଥିଲା ଦୁଃଖର ପାହାଡ । ଝିଅ ଦମୟନ୍ତୀ ହୋଇଥିଲା କିଡ଼ନୀ ଜନିତ ରୋଗର ଶିକାର । ଦମୟନ୍ତୀର ଚିକତ୍ସା ନିମନ୍ତେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ଗତ ୧୫ ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଏହାପରେ ଦମୟନ୍ତୀଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇ ଚିକତ୍ସା ଚାଲିଥିଲା । ବ୍ରେନ୍ ଷ୍ଟ୍ରୋକ୍ କାରଣରୁ ଦମୟନ୍ତୀଙ୍କ ବ୍ରେନ୍କୁ ରକ୍ତ ସଞ୍ଚାଳନ ହେଉନଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇନଥିଲା ଏବଂ ପରେ ବ୍ରେନ୍ ଷ୍ଟେମ୍ ଡେଡ୍ ହେଇ ଯାଇଥିଲା ।
ଏହାପରେ ମାନବତାର ସର୍ବଶ୍ରେଷ୍ଠ ନିଦର୍ଶନ ପୂର୍ବକ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ ବନୀତା ଏବଂ ଦୁଖବନ୍ଧୁ । ଯଦି ତାଙ୍କ ଝିଅର କୌଣସି ଅଙ୍ଗ ଅନ୍ୟ କାହାର ଜୀବନ ବଞ୍ଚାଇ ପାରିବ ତେବେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଆଶୀର୍ବାଦ ହେବ ବୋଲି କହିଥିଲେ ଦମ୍ପତି । ଅନ୍ୟର ଜୀବନ ବଞ୍ଚିପାରିଲେ ତାଙ୍କ ଝିଅ ମଧ୍ୟ ବଞ୍ଚି ରହିବାର ଅନୁଭବ ହୋଇପାରିବ ସେମାନେ କହିଥିଲେ । ଏପରି ମହତ ଉଦ୍ଦେଶ୍ୟରେ ନିଜ ଝିଅଙ୍କ ଯକୃତ (ଲିଭର) ଦାନ କରିବାକୁ ନିଷ୍ପତି ନେଇଥିଲେ ପିତାମାତା । ଏହି କ୍ରମରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଦମୟନ୍ତୀଙ୍କ ମୃତ ଶରୀରରୁ ଅଙ୍ଗ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ ଭୁବନେଶ୍ୱର ଏମ୍ସ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ. ଆଶୁତୋଷ ବିଶ୍ୱାସ ।
ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପକ୍ଷରୁ ପ୍ରଥମ ଥର କରି ଲିଭର ପୁନରୁଦ୍ଧାର କରାଯାଇ ନୂଆଦିଲ୍ଲୀ ସ୍ଥିତ ଆଇଏଲ୍ବିଏସ ହସ୍ପିଟାଲକୁ ବିମାନ ଯୋଗେ ପଠାଯାଇଛି । ଗ୍ରୀନ କରିଡର ଭିତରେ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀକୁ ପଠାଯାଇଥିଲା ପୁନରୁଦ୍ଧାର ଅଙ୍ଗ । ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭୁବନେଶ୍ୱର ଏମ୍ସ । ନିଜ ଝିଅର ଅଙ୍ଗ ପୁନରୁଦ୍ଧାର ହୋଇ ବିମାନବନ୍ଦରକୁ ଯାଉଥିବା ବେଳେ ବନୀତା ଏବଂ ଦୁଖବନ୍ଧୁଙ୍କ ଆଖିରୁ ବହିଚାଲିଥିବା ଅଶ୍ରୁ ପିତାମାତାଙ୍କ ହୃଦୟର ବ୍ୟଥାକୁ ବୟାନ କରୁଥିଲା । ଜଣେ ଅଜଣାର ଜୀବନ ବଞ୍ଚାଇବାକୁ ଉଭୟ ଦମ୍ପତ୍ତି ନେଇଥିବା ସାହସିକ ପଦକ୍ଷେପ କାଳ କାଳକୁ ମନେ ରହିବବୋଲି ଉପସ୍ଥିତ ଚିକିତ୍ସକ ଏବଂ କର୍ମଚାରୀ ସମତେ ସଧାରଣ ଲୋକେ ମତବ୍ୟକ୍ତ କରିଥିଲେ ।
ଅଧିକ ପଢନ୍ତୁ : ରୋଗୀଙ୍କୁ ଲୁଟୁଛନ୍ତି ଦଲାଲ...