କଟକ: ଦୁଇ ଦିନର କଟକଣା ପରେ କଟକ ସହରରେ ଧିରେ ଧିରେ ଶାନ୍ତି ଫେରିଛି । ଆଜିଠାରୁ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଯଦ୍ୱାରା ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଇଣ୍ଟରନେଟ୍ ସେବା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ଆହ୍ୱାନ କରିଛନ୍ତି ।
ଆଜି ସକାଳ ୧୦ଟା ଯାଏ କଟକ ସହରରେ କର୍ଫ୍ୟୁ କଟକଣା ରହିଥିଲା । କର୍ଫ୍ୟୁ ଅବଧି ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ କୌଣସି ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବାରୁ କଟକଣା ପ୍ରତ୍ୟାହାର କରାଯାଇଛି । ଦୁର୍ଗା ମେଢ଼ ଭସାଣୀ ସମୟରେ ଗଣ୍ଡଗୋଳକୁ ନେଇ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନ୍ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ଜଗତପୁର, ବୟାଳିଶି ମୌଜା ଏବଂ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା । ଏହି ସ୍ଥାନମାନଙ୍କରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ଗାଡ଼ି ଚଳାଚଳ ଆରମ୍ଭ କରିବା ସହିତ ଦୋକାନ ବଜାର ଖୋଲିଛି ।
ଅନ୍ୟପକ୍ଷରେ ସହରରେ ଏବେବି ଇଣ୍ଟରନେଟ୍ ସେବା ଉପରେ କଟକଣା ବଳବତ୍ତର ରହିଛି । ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଗତକାଲି ଇଣ୍ଟରନେଟ୍ କଟକଣା ଅବଧି ଶେଷ ହୋଇଥିବା ସତ୍ତ୍ୱେ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ଗୃହ ବିଭାଗ ପକ୍ଷରୁ ସମୟ ବୃଦ୍ଧି କରାଯାଇଥିଲା । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ରହିଛି । ଏହି ସମୟରେ ହ୍ୱାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ଏକ୍ସ ଓ ସ୍ନାପ୍ଚାଟ୍ ଇତ୍ୟାଦି ସୋସିଆଲ୍ ମିଡ଼ିଆ ବନ୍ଦ ରହିଛି । ରେଳ ବିଭାଗ, ବ୍ୟାଙ୍କ, ମେଡ଼ିକାଲର ଓ ବିଭିନ୍ନ ସରକାରୀ ସଂସ୍ଥାରେ ଇଣ୍ଟରନେଟ୍ ଚାଲୁ ରହିଛି ।
ଭସାଣୀବେଳେ ପଥର ଫିଙ୍ଗା ଏବଂ ପୋଡ଼ାଜଳାକୁ ନେଇ ୩ଟି ମାମଲା ରୁଜୁ ହୋଇଥିବାବେଳେ ଦଙ୍ଗାରେ ସମ୍ପୃକ୍ତ ୮ ଜଣଙ୍କୁ ଏଯାବତ ଗିରଫ କରାଯାଇଛି।