ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ବିକ୍ରି ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାକୁ କଟକରୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଶିଶୁକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
ବୟାଁବନାପୁର ଗାଁର ଏକ ମାସକର ନବଜାତ ଶିଶୁ କନ୍ୟାକୁ ତାର ବାପା ମାଆ ବିକ୍ରି କରିଦେଇଥିବା ଜେଜେମା ଅଭିଯୋଗ କରିଥିଲେ । ଶିଶୁକୁ ଡାକ୍ତରଖାନା ନେବା ବାହାନାରେ କେଉଁଆଡ଼େ ନେଇଯାଇଥିଲେ । ସନ୍ଧ୍ୟା ହେବା ପରେ ପୁଅ ବୋହୂ ଘରକୁ ଫେରିଥିଲେ କିନ୍ତୁ ସାଥିରେ ନାତୁଣୀ ନ ଥିଲା । ଯାହାକୁ ନେଇ ଜେଜେମାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ନାତୁଣୀ ବାବଦରେ ପଚାରିବାରୁ ଓଲଟା ପୁଅ ବୋହୂ ଯୁକ୍ତି ତର୍କ କରିଥିଲେ । ନାତୁଣୀକୁ ପୁଅ ବୋହୂ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ନେଇ ଗତକାଲି ଜେଜେମା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ ।
ଭଣ୍ଡାରିପୋଖରୀ ପୋଲିସ ତ୍ୱରିତ ପଦକ୍ଷେପ ସ୍ୱରୂପ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଶିଶୁ କନ୍ୟାକୁ କଟକରୁ ଉଦ୍ଧାର କରାଯାଇଥିଲା । ଶିଶୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ।