ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଆଜି ନବଙ୍କ ପରିବାର ବର୍ଗଙ୍କ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ। ବୟାନ ରେକର୍ଡ ପାଇଁ ମଙ୍ଗଳବାର ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମିନତୀ ଦାସଙ୍କ ପୁଣି ଥରେ ବୟାନ ରେକର୍ଡ କରାଯାଇଛି ।
ନବଙ୍କ ପରିବାର ପକ୍ଷରୁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କରାଯିବା ପରେ କ୍ରାଇମବ୍ରାଞ୍ଚ ପୁଣି ଥରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସହ ପୁଅ ବିଶାଳ ଓ ଝିଅ ଦୀପାଳିଙ୍କ ସହ ନବଙ୍କ ପତ୍ନୀ ମିନତି ଦାସଙ୍କ ବୟାନ ଆଉଥରେ ରେକର୍ଡ କରିବାକୁ ନୋଟିସ ଦେଇଥିଲା। ହେଲେ ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ । ତେବେ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ଵରେ ୨ ଜଣିଆ ଟିମ୍ ଝାରସୁଗୁଡ଼ା ସରବହାଲସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ପଚରା ଉଚରା କରୁଛି।
କ୍ରାଇମବ୍ରାଞ୍ଚ ତଦନ୍ତରେ କେଉଁ କେଉଁ ପ୍ରସଙ୍ଗରେ ପରିବାର ଲୋକଙ୍କ ଆପତ୍ତି ଅଭିଯୋଗ ରହିଛି ସେଦିଗରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ନବ ଦାସଙ୍କ ପରିବାର ଲୋକେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି କହିବା ପରେ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ସକ୍ରିୟ ହୋଇ ଉଠିଛି।