ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଂସଦ ପରିସରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ରାଜ୍ୟସଭା ସାଂସଦ ରେଣୁକା ଚୌଧୁରୀ ଏକ କୁକୁର ନେଇ ସଂସଦ ପରିସରକୁ ଆସିଛନ୍ତି । ଯାହାକୁ ନେଇ ଗୃହ ବାହାରେ ହଙ୍ଗାମା ହୋଇଛି । ରେଣୁକାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସଦସ୍ୟମାନେ ଦାବି କରିଛନ୍ତି ।
ଆଜି କଂଗ୍ରେସ ସଦସ୍ୟା ରେଣୁକା ଚୌଧୁରୀ ନିଜ କାରରେ ଏକ କୁକୁର ନେଇ ଆସିଥିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା । ଯାହାକୁ ଅନେକ ସଦସ୍ୟ ନାପସନ୍ଦ କରିଛନ୍ତି । ରେଣୁକା ଏଥିରେ ସଫେଇ ଦେଇଥିଲେ ଯେ ଏହି କୁକୁର କାହାକୁ କାମୁଡ଼ିବ ନାହିଁ । ସେ ଘରୁ ବାହାରି ସଂସଦ ଅଭିମୁଖେ ଆସୁଥିବାବେଳେ କାର୍ ଏବଂ ସ୍କୁଟର୍ ମଧ୍ୟରେ ଧକ୍କା ହୋଇଥିଲା । ସେଠାରେ କୁକୁରଟି ବୁଲୁଥିଲା । ଏହି କୁକୁରଟି ଗାଡ଼ି ତଳେ ଆସିବାର ସମ୍ଭାବନା ଥିଲା । ତେଣୁ ସେ ତାକୁ ନିଜ ଗାଡ଼ିରେ ବସାଇ ଆଣିଥିଲେ । ଏହା ପରେ ତାକୁ ତୁରନ୍ତ ସେହି କାରରେ ବସାଇ ନିଜ ଘରକୁ ପଠାଇଛନ୍ତି । ସେ ଏମିତି ଅନେକ ରାସ୍ତା କଡ଼ କୁକୁରକୁ ନିଜ ଘରେ ପାଳିଛନ୍ତି ବୋଲି କହି ସଫେଇ ଦେଇଛନ୍ତି । ଗୃହର କୌଣସି ନିୟମ ଉଲ୍ଲଂଘନ କରିନାହାଁନ୍ତି ବୋଲି ସଫା ସଫା ମନା କରିଦେଇଛନ୍ତି । ତେବେ ରେଣୁକା ନିଜ ପ୍ରତିକ୍ରିୟା ଶାସକ ଦଳକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଗୋଟିଏ କଥା କହିପାରୁନଥିବା ପଶୁକୁ ଆଣିଛନ୍ତି, ଏତେ ବଡ଼ ହଙ୍ଗାମା ହେଉଛି । କିନ୍ତୁ ଯିଏ ସଂସଦରେ ବସି ଆମକୁ ପ୍ରତିଦିନ କାମୁଡ଼ୁଛନ୍ତି ସେମାନଙ୍କୁ କେହି କିଛି କହୁ ନାହାଁନ୍ତି ।
ସେପଟେ ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ସାଂସଦକୁ ମିଳୁଥିବା ବିଶେଷ ଅଧିକାରର ଭୁଲ ଫାଇଦା ଉଠାଇଛନ୍ତି ସାଂସଦ ରେଣୁକା । ସ୍ୱତନ୍ତ୍ର ଅଧିକାରୀ ହୁଅନ୍ତୁ କିମ୍ବା ଅନ୍ୟ କେହି କାହାକୁ ଗୃହର ନିୟମ ଉଲ୍ଲଂଘନ କରି ପୋଷା ପଶୁଙ୍କୁ ଆଣିବାକୁ ଅନୁମତି ଦିଆଯାଇ ନାହିଁ । ଏହି ଗୃହ, ଦେଶର ନିୟମ ଉପରେ ଆଲୋଚନା ହେବାର ସ୍ଥାନ । କିନ୍ତୁ ଏଠାକୁ ନିଜ ପୋଷା କୁକୁର ଆଣିବା ଏବଂ ଏହା ଉପରେ ଏଭଳି ବୟାନ ଦେବା ଦେଶ ପାଇଁ ନିନ୍ଦାର ବିଷୟ । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।