ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟି20 ବିଶ୍ୱକପରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଏହି ଟିମରେ ସାମିଲ ଥିବା ୪ ଜଣ ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଚାରି ବିଶ୍ୱ ବିଜୟୀ ଓଡ଼ିଆ ଖେଳାଳୀ ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦାଙ୍କୁ ଭେଟିଛନ୍ତି । ସେମାନେ ଆଜି ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉତ୍ତରୀୟ, ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଛନ୍ତି । ପ୍ରତ୍ୟେକ ଓଡିଆଙ୍କ ପାଇଁ ଏମାନେ ପ୍ରେରଣା ହୋଇଛନ୍ତି । ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଛନ୍ତି ମୋହନ ।
ଏହି ଅବସରରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଦଳର କୋଚ ଶ୍ରୀ ଦେବାଶିଷ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବିଜୟୀ ଓଡ଼ିଆ ଖେଳାଳି, ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ