ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ସାଇବର୍ ଅପରାଧ ଏବଂ ବିଶେଷକରି ଡିଜିଟାଲ୍ ଆରେଷ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଲୋକମାନେ କୋଟି କୋଟି ଟଙ୍କାର ସମ୍ପତ୍ତି ହରାଉଛନ୍ତି । ବିଗତ ଏକ ମାସ ମଧ୍ୟରେ ଦେଶରେ ଯେଉଁଭଳି ଭାବରେ ଏଭଳି ଗମ୍ଭୀର ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି, ତାର ଗୁରୁତ୍ୱକୁ ଉପଲବ୍ଧି କରି ସୁପ୍ରିମକୋର୍ଟ ସର୍ବୋଚ୍ଚ ତଦନ୍ତ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଡିଜିଟାଲ୍ ଆରେଷ୍ଟ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ହେବାର ଆବଶ୍ୟକତା ରହିଛି । କେବଳ ସାଇବର ଠକ ନୁହେଁ ବରଂ ଏଥିରେ ଯେଉଁ ଅଧିକାରୀଙ୍କ ଜରିଆରେ ଫର୍ଜି ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଉଛି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଆବଶ୍ୟକ ସ୍ଥଳେ ସିବିଆଇ ଇଣ୍ଟରପୋଲର ସହାୟତା ନେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ସୋସିଆଲ୍ ମିଡ଼ିଆ କମ୍ପାନୀଗୁଡ଼ିକ ମଧ୍ୟ ସିବିଆଇକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶରେ କହିଛନ୍ତି ।
ସେହିପରି ସିମ୍ କାର୍ଡର ମଧ୍ୟ ଦୂରପଯୋଗ କରାଯାଉଛି । ତେଣୁ ତୁରନ୍ତ ଏହାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଟେଲିକମ୍ୟୁନିକେସନ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ମଧ୍ୟ କୋର୍ଟ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା ବା ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଟେକନିକ୍ ବ୍ୟବହାର କରି ଫର୍ଜି ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ଉଚିତ । ଖାଲି ସେତିକି ନୁହେଁ ସାଇବର ୟୁନିଟଗୁଡ଼ିକୁ ଦ୍ରୁତଗତିରେ କାର୍ଯ୍ୟକ୍ଷମ କରିବା ସହିତ ସେଥିରେ ଥିବା ଅସୁବିଧାର ତୁରନ୍ତ ସମାଧାନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଉଣ୍ଡରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ସାଇବର ଅପରାଧ ରୋକିବାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉଚିତ । ଆଗାମୀ ପର୍ଯ୍ୟାୟରେ ‘ଅର୍ଥ ନିବେଶ’ ଏବଂ ‘ପାର୍ଟ-ଟାଇମ୍ ଜବ୍ ସ୍କାମ୍’ ଉପରେ ମଧ୍ୟ ଯାଞ୍ଚ ହେବ । ଏହାକୁ ମଧ୍ୟ ସିବିଆଇ ଯାଞ୍ଚ କରିବ ।
ଡିଜିଟାଲ୍ ଆରେଷ୍ଟ ହେଉଛି ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ, ସିବିଆଇ, ଇଡି ଭଳି ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଛନ୍ତି । ସେମାନେ ଲୋକମାନଙ୍କ ମନରେ ଫୋନ୍ ଜରିଆରେ କୌଣସି ବଡ଼ ଆର୍ଥିକ କାରବାର କିମ୍ବା ଅପରାଧରେ ଫସିଥିବାର ମିଥ୍ୟା ଭୟ ସୃଷ୍ଟି କରୁଛନ୍ତି । ଏହି ସମୟରେ ଅନ୍ୟ କାହା ସହିତ କିଛି କଥା ନ ହେବାକୁ କିମ୍ବା ଘର ବାହାରକୁ ନ ଯିବାକୁ ଭୟ ଦେଖାଉଛନ୍ତି । ଏହା ପରେ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ନେଇ ଟଙ୍କା ହଡ଼ପ କରି ନେଉଛନ୍ତି ।