ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମାତ୍ରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ଆମେ ଚୁପ ବସିପାରିବା ନାହିଁ । କୋଭିଡ୍ ସମୟରେ ଦିନରେ ଆକାଶ ନୀଳ ଦିଶୁଥିଲା ଏବଂ ରାତିରେ ତାରା ଦିଶୁ ଥିଲା, ଏବେ ସେହି ନିର୍ମଳ ବାୟୁ କାହିଁକି ନାହିଁ । ଅର୍ଥାତ ବାୟୁକୁ ସଫା କରାଯାଇ ପାରିବ ବୋଲି କହିଛନ୍ତି କୋର୍ଟ ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ କେବଳ ନଡ଼ା ଜାଳିବା ଗୋଟିଏ କାରଣ ହୋଇ ପାରିବ ନାହିଁ । ଏହାକୁ ରାଜନୈତିକ ଅହଂକାରର ପ୍ରସଙ୍ଗ କରାଯିବା ଉଚିତ୍ ନୁହେଁ । ପ୍ରଦୂଷଣ କମ କରିବାକୁ ଯୋଜନା କାହିଁ ବୋଲି ଦିଲ୍ଲୀ ସରକାରଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି । ସିଏକ୍ୟୁଏମ୍ ଓ ରାଜ୍ୟର ସଂସ୍ଥାଗୁଡ଼ିକ ପ୍ରଦୂଷଣକୁ ରୋକିବାକୁ ଅଣ୍ଟା ଭିଡ଼ିବା ଦରକାର । କେବଳ କାଗଜରେ ଯୋଜନାଗୁଡ଼ିକୁ ସୀମିତ ନ ରଖି ଏହାର କାର୍ଯ୍ୟକାରୀ କରନ୍ତୁ । ଆମେ କେବଳ କଥା ଶୁଣିପାରିବୁ ନାହିଁ, ବରଂ ବିଶେଷଜ୍ଞଙ୍କ ଦ୍ୱାରା ସମାଧାନ ବାହାରିବା ଦରକାର ।
ଶୁଣାଣି ସମୟରେ ସିଏକ୍ୟୁଏମ୍ କହିଛି ଯେ ଏହା ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଛି । ଏଏସଜି କହିଛି ଯେ ହରିୟାଣା, ପଞ୍ଜାବ ଏବଂ ସିପିସିବି ଭଳି ସମସ୍ତ ଏଜେନ୍ସିରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ କୋର୍ଟରେ ଦାଖଲ କରାଯାଇପାରିବ । ପ୍ରଧାନ ବିଚାରପତି ଜବାବରେ ଉତ୍ତର ଦେଇଛନ୍ତି ଯେ କୋର୍ଟ ଚୁପ୍ ବସିପାରିବେ ନାହିଁ ଏବଂ ଆଲୋଚନାକୁ ସହଜ କରିବା ପାଇଁ ସମସ୍ତ ପକ୍ଷଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ଉଚିତ ।
କୋର୍ଟ ସିଏକ୍ୟୁଏମକୁ ପଚାରିଥିଲେ ଯେ ଏହାର କ୍ଷୁଦ୍ରକାଳୀନ ଯୋଜନା କ'ଣ । ସିଏକ୍ୟୁଏମ୍ କହିଛି ଯେ ଏହା ପୂର୍ବରୁ ଏହି ସମ୍ପର୍କରେ ଏକ ଶପଥପାଠ ଦାଖଲ କରାଯାଇଛି । ପ୍ରଧାନ ବିଚାରପତି ସିଏକ୍ୟୁଏମକୁ ନଡ଼ା ପୋଡ଼ିବା ବ୍ୟତୀତ ପ୍ରଦୂଷଣର ଅନ୍ୟାନ୍ୟ କାରଣଗୁଡ଼ିକର ସମାଧାନ ପାଇଁ ନିଆଯାଇଥିବା ପ୍ରଭାବଶାଳୀ ପଦକ୍ଷେପ ବିଷୟରେ ଏକ ସପ୍ତାହ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ ତାରିଖରେ ହେବ ।