ବାପା ଆଖି ସାମ୍ନାରେ ଚାଲିଗଲା ନାବାଳିକା ଝିଅର ଜୀବନ । ୧୭ ବର୍ଷୀୟ ଝିଅକୁ ସ୍କୁଟିରେ ନେଇ କଲେଜ ଛାଡିବାକୁ ଯାଉଥିବା ସମୟରେ ହାଇୱା ଧକ୍କାରେ ଝିଅର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଠାରେ । ବୁଧବାର ସକାଳ ସମୟରେ ବହଳଦା ଥାନା ଅନ୍ତର୍ଗତ ଭୁରସା ଗ୍ରାମରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ୍ୟୁବରଣ କରିଥିବା ଝିଅର ବୟସ ୧୭ ବର୍ଷ ହୋଇଥିବାବେଳେ ସୋସୋ ଚଟାଣୀ ସାହିର ନିଳକଣ୍ଠ ବେହେରାଙ୍କ ବଡ଼ ଝିଅ ନମୀତା ବେହେରା ବୋଲି ଜଣାପଡିଛି।
ବାପା ନିଳକଣ୍ଠ ବେହେରାଙ୍କ ସହ ସ୍କୁଟିରେ କଲେଜ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଚିପ୍ସ ବୋଝେଇ ହାଇୱା ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ନମୀତା ଚକ ତଳେ ପଡି ଯିବାରୁ ନମୀତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ବାପା ଆହତ ହୋଇଥିଲେ ଆଉ ବାପାଙ୍କ ଆଖି ସାମ୍ନାରେ ଝିଅର ଜୀବନ ଚାଲିଗଲା । ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇ ଯାଇଥିଲା। ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚଥିଲା। ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ହାଇୱାକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଥିଲା ପୋଲିସ। ସେପଟେ ନମୀତାଙ୍କ ମୃତ୍ୟୁର ଖବର ପାଇବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣାକୁ ନେଇ ନମିତାଙ୍କ ବଡ଼ ବାପା ପ୍ରତିକ୍ରିୟା ଦେବା ସହ ସହାୟତା ରାଶି ପାଇଁ ନିବେଦନ କରିଛନ୍ତି ।
ଅଧିକ ପଢନ୍ତୁ : ବାଲ୍ୟବିବାହ ରୋକିବା ଓ ଲିଙ୍ଗଭିତ୍ତିକ ହିଂସା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ