୭୦ ବର୍ଷୀୟ ବୃଦ୍ଧା ମହାନଦୀରେ ବୁଡ଼ି ଯାଇଥିବାବେଳେ ତାଙ୍କୁ ଉଦ୍ଧାର କରିଛନ୍ତି କଟକ ମୁନିସିପାଲିଟି କର୍ମଚାରୀ । ଉଦ୍ଧାର କରିଥିବା କର୍ମଚାରୀ ବାବୁଲି ବେହେରା ବୋଲି ଜଣା ପଡିଛି । ତେବେ ବୃଦ୍ଧା ଜଣଙ୍କ ସକାଳ ସମୟରେ କଟକ ଯୋବ୍ରା ଆନିକଟ ବ୍ରିଜ ନିକଟରେ ନଦୀକୁ ଡେଇଁ ପଡ଼ିଥିଲେ । ବୃଦ୍ଧାଙ୍କୁ ବୁଡ଼ିଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ବାବୁଲି ବେହେରା । ଖବର ପାଇଁ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା । ତେବେ ଉଦ୍ଧାର କରିବା ସମୟରେ ଉଭୟ ମହିଳା ଓ ବାବୁଲି ଆହତ ହୋଇଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ମହିଳା ଜଣକ ଭୁବନେଶ୍ୱର ମଞ୍ଚେଶ୍ୱରର ବାସିନ୍ଦା ହୋଇଥିବାବେଳେ କଉଡ଼ି, ଗୁଆ ଓ ପୂଜା ଧାନ ପାଣିରେ ପକାଇବା ପାଇଁ ମହାନଦୀକୁ ଆସିଥିଲେ । ଉଦ୍ଧାର ପରେ ପ୍ରତିକ୍ରିୟା ରଖି ମହିଳା ଜଣକ କହିଛନ୍ତି ମୁଁ ଜୀବନ ହାରିବାକୁ ନୁହେଁ ବରଂ ପୂଜା ସାମଗ୍ରୀ ପକାଇବାକୁ ନଦୀକୁ ଆସିଥିଲି ଏବଂ ନଦୀରେ ପଡିଯାଇଥିଲି । ଅନ୍ୟପଟେ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ବାବୁଲି ପୂର୍ବରୁ ମଧ୍ୟ ଏଭଳି ସାହାସିକତାର ପରିଚୟ ଦେଇଛନ୍ତି । ପୂର୍ବରୁ ଏଭଳି ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି ବାବୁଲି ।
ଅଧିକ ପଢନ୍ତୁ : ମୟୁରଭଞ୍ଜରେ ହାଇୱା ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ