ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ତରଫରୁ ଆଜି ନୂଆ ଦିଲ୍ଲୀ ଆଇଟିସି ମୌର୍ୟ୍ୟ ହୋଟେଲରେ ଆୟୋଜିତ ହୋଇଯାଇଛି ଆମ୍ବାସଡର୍ସ ମିଟ୍ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧ୍ୟକ୍ଷତା କରିଥିବା ବେଳେ ବିଭାଗର ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରେଣ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅଗାମୀ ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ପାଇଁ ବେଶ୍ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଏହି ସମାବେଶରେ ଓଡିଶାରେ ଉଦ୍ୟୋଗର ବିକାଶ ଏବଂ ନୂତନ ନିବେଶର ସୁଯୋଗ ଉପରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ୩୪ଟି ଦେଶରୁ ଆମ୍ବାସଡର୍ସ, ହାଇ କମିଶନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନୀତିଜ୍ଞମାନେ ଯୋଗ ଦେଇଥିଲେ । ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତ ରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ୟୁକେ ପରି ଦେଶର ପ୍ରତିନିଧି ମାନେ ମଧ୍ୟ ସାମିଲ ହୋଇଥିଲେ । ଏଥି ସହିତ ୯ଟି ଅନ୍ତଃରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ, ଯାହା ଓଡିଶାରେ ହେବାକୁ ଥିବା ମେକ୍ ଇନ୍ ଓଡିଶା ସମ୍ମିଳନର ସଫଳତାକୁ ସୂଚାଉଛି ବୋଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଓଡ଼ିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଜି ବିନିଯୋଗ ନେଇ ଆଲୋଚନା କରାଯାଇଛି । ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । ଆନ୍ତର୍ଜାତିକ ସହଭାଗିତାରେ ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ନେଇ ହୋଇଥିବା ଆଲୋଚନା ସଫଳ ହୋଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡିଶା ଖୁବ୍ ଶୀଘ୍ର ବିଶ୍ୱସ୍ତରୀୟ ନିବେଶ ସ୍ଥଳ ହେବାକୁ ଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତୀ । ସେ ନୂତନ ବ୍ୟବସାୟର ସମ୍ଭାବନା ,ବିଭିନ୍ନ ସେକ୍ଟରରେ ନିବେଶ , ଉପଲବ୍ଧ ଥିବା ଦକ୍ଷ ଶ୍ରମିକ ଏବଂ ନୀତିଗୁଡିକ ଉପରେ ଆଲୋଚନା କରିଥିଲେ । ଏଥି ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧି ମାନଙ୍କ ସହଭାଗୀତା, ଓଡିଶାର ଉଦ୍ୟୋଗ, ଟେକ୍ନୋଲୋଜି, ପର୍ଯ୍ୟଟନ ଏବଂ ପୁନଃ ନବୀକରଣରେ ନିବେଶ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମେକ୍ ଇନ୍ ଓଡିଶା ୨୦୨୫ ଉପରେ ଏକ ଭିଡିଓ ପ୍ରକାଶିତ ହୋଇଥିଲା, ଯାହା ଓଡିଶାରେ ନିବେଶର ସମ୍ଭାବନାକୁ ଦର୍ଶାଇଥିଲା । ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଶିଳ୍ପ ନିବେଶର ସୁଯୋଗ ଉପରେ ବିସ୍ତୃତ ସୂଚନା ଦେଇଥିଲେ ।
ଏହି ସମାବେଶରେ ଫିକି ର ଡାଇରେକ୍ଟର ଜେନେରାଲ୍ ଜ୍ୟୋତି ଭିଜ, ଉତ୍କର୍ଷ ଓଡିଶାର ସଫଳତାପାଇଁ ସହଭାଗିତା କେତେ ଗୁରୁତ୍ୱ ପୂର୍ଣ୍ଣ ତା ଉପରେ ମତବ୍ୟକ୍ତ କରିଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଏ. ଅଜୟ କୁମାର, ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଉପରେ ବିସ୍ତାରଭାବେ ଆଲୋଚନା କରିଥିଲେ । ଇନଭେଷ୍ଚ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଚର ନିବୃତି ରାଏ ଓଡିଶାରେ ନିବେଶର ସୁଯୋଗ ଉପରେ ନିଜର ମତ ରଖିଥିଲେ । ମୁଖ୍ୟମନ୍ତ୍ରୀ ଓଡିଶାରେ ନିବେଶ ପାଇଁ ଆମ୍ବାସଡର୍ସ ମାନଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଓଡିଶାର ସମୃଦ୍ଧ ଇତିହାସ ଏବଂ ଭୌଗଳିକ ପରିସୀମା ଏହାକୁ ବିଶ୍ୱସ୍ତରୀୟ ବନିଯୋଗ ପାଇଁ ପ୍ରସ୍ତୁତ କରିଛି । ସେ ଓଡିଶାରେ ଥିବା ସମ୍ଭାବନା, ସ୍ଥାନୀୟ ସଂସ୍କୃତି ଏବଂ ଓଡିଶାରେ ଥିବା କୂଶଳୀ ଶ୍ରମିକ ମାନଙ୍କ ଉପରେ ଆଲୋକପାତ କରିଥିଲେ। ସେ ସମସ୍ତଙ୍କୁ ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ରେ ଯୋଗଦେବା ପାଇଁ ସ୍ୱାଗତ ମଧ୍ୟ କରିଛନ୍ତି ।