ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଆଜି ପୁନର୍ଗଠନ ହୋଇଛି । ଦଳ ପକ୍ଷରୁ ଅନେକ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ସାଂସଦ ମନମୋହନ ସାମଲ ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବଗଠିତ ଜାତୀୟ ଟିମ୍ରେ ସ୍ଥାନ ପାଇଥିବା ସମସ୍ତ ପଦାଧିକାରୀବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ସାଙ୍ଗଠନିକ ଦକ୍ଷତା, ଆଦର୍ଶଗତ ପ୍ରତିବଦ୍ଧତା, ବ୍ୟାପକ ଅଭିଜ୍ଞତା ଏବଂ ଯୁବ ଶକ୍ତିର ଏହି ସମନ୍ୱୟ ଦଳର ରାଷ୍ଟ୍ରନିର୍ମାଣ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପ୍ରେରଣାଦାୟୀ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ ଜୀଙ୍କ ମାର୍ଗଦର୍ଶନରେ ଏହି ଟିମ୍ ‘ରାଷ୍ଟ୍ର ପ୍ରଥମ’ ସଂକଳ୍ପ ସହ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ସେହିପରି ଜାତୀୟ ଟିମ୍ରେ ସ୍ଥାନ ପାଇଥିବା ଓଡ଼ିଶାର ସାଂସଦ ବୈଜୟନ୍ତ ପଣ୍ଡା (ରାଷ୍ଟ୍ରୀୟ ଉପସଭାପତି) ଏବଂ ସମ୍ବିତ ପାତ୍ର (ଉତ୍ତର-ପୂର୍ବ ରାଜ୍ୟ କୋଅର୍ଡିନେଟର)ଙ୍କୁ ବିଶେଷ ଭାବରେ ଶୁଭେଚ୍ଛା ଜଣାଇବା ସହ ସମସ୍ତ ପଦାଧିକାରୀଙ୍କ ସଫଳ ଓ ଯଶସ୍ୱୀ କାର୍ଯ୍ୟକାଳ ପାଇଁ ଶୁଭକାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ପୁନଃ ଦାୟିତ୍ୱ ଗ୍ରହଣ କରିଥିବା ବୈଜୟନ୍ତ ପଣ୍ଡା ଏବଂ ନର୍ଥ ଇଷ୍ଟର ସଂଯୋଜକ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ଡକ୍ଟର ସମ୍ବିତ ପାତ୍ରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ମନମୋହନ କହିଛନ୍ତି, “ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀଙ୍କ ମାର୍ଗଦର୍ଶନ, ଅନୁଭବ ଓ ପ୍ରେରଣାରେ ଏହି ଟିମ ସଂଗଠନକୁ ନୂତନ ଗତି ପ୍ରଦାନ କରିବ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଙ୍କ ନେତୃତ୍ବରେ ଏହି ଟିମର ସମସ୍ତ ସଦସ୍ୟ, ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଭାବ ନେଇ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ 'ବିକଶିତ ଭାରତ'ର ସଂକଳ୍ପ ଏବଂ ରାଷ୍ଟ୍ରସେବାର ଧ୍ୟେୟକୁ ନୂତନ ଉଚ୍ଚତାକୁ ନେଇଯିବେ। ସମସ୍ତଙ୍କୁ ପୁଣିଥରେ ହାର୍ଦ୍ଦିକ ଶୁଭକାମନା ଓ ଅଭିନନ୍ଦନ”।
ଉଲ୍ଲେଖ ଯୋଗ୍ୟ, ଆଜି ବିଜେପି ପକ୍ଷରୁ ୧୩ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ), ୨ ଜଣ ରାଷ୍ଟ୍ରୀୟ ସହ ସମ୍ପାଦକ (ସଂଗଠନ), ୮ ଜଣ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ୧୬ ରାଷ୍ଟ୍ରୀୟ ସମ୍ପାଦକ, ଜଣେ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଏବଂ ଜଣେ ରାଷ୍ଟ୍ରୀୟ ଯୁଗ୍ମ କୋଷାଧ୍ୟକ୍ଷ ଏବଂ ବିଭିନ୍ନ ଜୋନର ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି ।