ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାବେଳେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋମବାର ନୂଆପଡ଼ା ଗସ୍ତ ଅବସରରେ ଖରିଆର୍ ରୋଡ୍କୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି । ସେହିପରି କୋମନା ଏବଂ ସିନାପାଲିକୁ ନୂତନ ଏନ୍.ଏ.ସି ଘୋଷଣା କରିଛନ୍ତି । ସିନାପାଲି ଗ୍ରାମପଞ୍ଚାୟତ ଓ ଗୋଡାଲ ଗ୍ରାମପଞ୍ଚାୟତକୁ ମିଶାଇ ଏହାକୁ ସିନାପାଲି ଏନ୍.ଏ.ସି ଗଠନ ହେବ ।
ସେହିପରି ରାଜ୍ୟର ସବୁ ତହସିଲରେ ଖୋଲାଯିବ ସବ୍ ରେଜିଷ୍ଟ୍ରାର ଅଫିସ ଖୋଲାଯିବ । ବର୍ତ୍ତମାନ ରାଜ୍ୟର ୩୧୭ଟି ତହସିଲରୁ ୨୧୦ଟି ତହସିଲରେ ସବ୍ ରେଜିଷ୍ଟ୍ରାର ଅଫିସ ରହିଛି
। ପ୍ରାଥମିକ ପର୍ଯ୍ୟାୟରେ ଆଜିଠାରୁ ନୂଆପଡ଼ାର ୩ଟି ଯଥା ସିନାପାଲି, କୋମନା ଓ ବୋଡେନ୍ ଏବଂ ମାଲକାନଗିରିର ୪ଟି ଯଥା ମାଥିଲି, କାଲିମେଳା, ଖଇରପୁଟ ଓ କୁଡୁମୁଲୁଗୁମା ମୋଟ ୭ଟି ତହସିଲରେ ସବ୍ ରେଜିଷ୍ଟ୍ରାର ଅଫିସ ଖୋଲାଯାଇଛି ।
ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ ପୂର୍ବରୁ ପ୍ରିମାଟ୍ରିକ ସ୍କଲାରସିପର୍ ଛାତ୍ରମାନଙ୍କୁ ୧୦,୫୦୦ ଟଙ୍କା ମିଳୁଥିବା ବେଳେ ଏବେ ମିଳିବ ୧୬,୦୦୦ ଟଙ୍କା ଏବଂ ଅନ୍ୱେଷା ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ଏଥିରେ ୧୭ ହଜାର ଟଙ୍କା ମିଳିବ । ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ପୂର୍ବରୁ ଛାତ୍ରମାନଙ୍କୁ ୧୧ ହଜାର ଟଙ୍କା ମିଳୁଥିବାବେଳେ ଏବେ ୧୬ ହଜାର ଟଙ୍କା ଏବଂ ଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା ମିଳିବ ।
ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ସେଥି ମଧ୍ୟରେ ୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୫୯ କୋଟି ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ କେବଳ ଜଳସେଚନ ପାଇଁ ୮୦୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଡବଲ ଇଞ୍ଜିନ ସରକାର ସବୁବେଳେ ଆପଣମାନଙ୍କ ସେବା ପାଇଁ ପ୍ରସ୍ତୁତ ଅଛି ଏବଂ ନୂଆପଡ଼ାବାସୀଙ୍କ ପାଇଁ ମୋର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।