ପାରାଦ୍ୱୀପ ବନ୍ଦରରେ ପହଂଚିଛନ୍ତି ସିବିଆଇ ଟିମ । ପାରାଦୀପରେ ଦୁର୍ନୀତିର ଗନ୍ଧ ବାରି ତନାଘନା ଚଳାଇଛି ସିବିଆଇ । ପାରାଦ୍ଵୀପ ବନ୍ଦରର ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ବିଲ୍ଡିଙ୍ଗ ନିର୍ମାଣ ଦୁର୍ନୀତିକୁ ନେଇ, ପାରାଦ୍ୱୀପ ବନ୍ଦରରେ ସିବିଆଇର ଦୁଇଟି ଟିମ୍ ଯାଞ୍ଚ କରୁଛନ୍ତି । ପାରାଦ୍ୱୀପ ବନ୍ଦରର ଇଞ୍ଜିନିୟରିଂ ବିଭାଗ ଓ ବନ୍ଦର ସିଭିଲ ଏକ୍ସ୍ୟୁଟିଭ ଇଞ୍ଜିନିୟରଙ୍କ ଘରେ ଚଢ଼ାଉ କରିଛି ସିବିଆଇର ୪ ଜଣିଆ ଦୁଇଟି ଟିମ୍ ।
ଚଢ଼ାଉ ସମୟରେ ୮ ଜଣ ଅଫିସର ସାମିଲ ହୋଇଛନ୍ତି । ରେଡ଼ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ସ୍ମାର୍ଟ ସିଟି ବିଲ୍ଡିଙ୍ଗ ନିର୍ମାଣ ପାଇଁ ଟେଣ୍ଡରକୁ ହାଇଦ୍ରାବାଦର ଡିଏନସି ଇଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ ହାତେଇଥିଲା । ଏହା ପରେ ୧୦ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଓ ଡକ୍ୟୁମେଣ୍ଟ ଦେଇଥିଲା। ଏହି ଡକ୍ୟୁମେଣ୍ଟ ଓ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବିନା କୈାଣସି ଯାଞ୍ଚ୍ ରେ ପାରାଦ୍ଵୀପ ବନ୍ଦର ପକ୍ଷରୁ ଉକ୍ତ କମ୍ପାନୀକୁ ୩ କୋଟି ୨୮ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ମାତ୍ର କମ୍ପାନୀ ସ୍ଥାନୀୟ କିଛି ଠିକାଦାରଙ୍କୁ ଧରି କିଛି କାମ କରିବା ପରେ ସ୍ଥାନୀୟ ଠିକାଦାରଙ୍କୁ ଟଙ୍କା ନଦେଇ ଓ କାମ ସମ୍ପୂର୍ଣ୍ଣ ନକରି ଫେରାର ହୋଇଯାଇଥିଲା। ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ ହେବା ପରେ ଏହି ଠକେଇ ଘଟଣା ସାମ୍ନାକୁ ଆସିଥିଲା। ତେବେ ଗୁରୁବାର ସିବିଆଇର ଦୁଇଟି ଟିମ୍ ରୁ ଗୋଟିଏ ଟିମ୍ ବନ୍ଦର ସିଭିଲ ଏକ୍ସ୍ୟୁଟିଭ ଇଞ୍ଜିନିୟର ଙ୍କ ପୈତୃକ ଘର ଓ ଅନ୍ୟ ଗୋଟିଏ ଟିମ୍ ବନ୍ଦରର ଇଞ୍ଜିନିୟରିଂ ବିଭାଗରେ ଯାଞ୍ଚ୍ କରୁଛନ୍ତି। ଏହି ଯାଞ୍ଚ୍ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ସୂଚନା ମିଳିଛି। ପାରାଦ୍ଵୀପ ରୁ ସଞ୍ଜୟ ସେନାପତି ଙ୍କ ରିପୋର୍ଟ ଖବର ଓଡ଼ିଶା।