କେନ୍ଦ୍ରାପଡା: ଏକମାଣିଆ ଗ୍ରାମରେ ଏକାଧିକ ମଇଁଷି ମୃତ୍ୟୁ ଘଟଣାରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୋମବାର ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଭୟ ମେଡିକାଲ ଟିମ, ଫରେଷ୍ଟ ଟିମ୍, ପୋଲିସ ଏବଂ ତହସିଲଦାର। ବର୍ତ୍ତମାନ ସୁଦ୍ଧା ୪୪ ଗୋଟି ମଇଁଷିଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୮ ଜୀବନ୍ତ ଉଦ୍ଧାର କରାଯାଇଛି । ଆହୁରି ୩୮ ମଇଁଷିଙ୍କ ମୃତଦେହକୁ ଖୋଜିବାରେ ବ୍ୟସ୍ତ ଅଗ୍ନିଶମ ବାହିନୀ, ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ବୋଲି ସୂଚନା ଦେଲେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ । ସରକାରୀ ମାର୍ଗଦର୍ଶକା ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।
ସୂଚନା ଅନୁସାରେ, ଗତ ରବିବାର ଉକ୍ତ ଅଂଚଳର ୯ ଜଣ ମଇଁଷି ଚାଷୀଙ୍କ ୯୦ଟି ମଇଁଷି ଚରିବାକୁ ଯାଇଥିବାବେଳେ ନିକଟସ୍ଥ ଏକ ନାଳରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ତେବେ ଏକାଧିକ ମଇଁଷିଙ୍କ ମୃତ୍ୟୁର କାରଣ କୁମ୍ଭୀର ଆକ୍ରମଣ କିମ୍ବା ନଦୀ ପାଣି ବିଷାକ୍ତ ବୋଲି ସନ୍ଦେହ କରାଯାଉଥିଲା । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗ ମିଳିତ ଟିମ ଦୁଇଟି ମୃତ ମଇଁଷିଙ୍କର ଶବ ବ୍ୟବଛେଦ କରିଥିଲେ । ବ୍ୟବଛେଦ ପରେ ଲିଭର, ଖାଦ୍ୟନଳି, କିଡ଼ନୀ, ସ୍କିନ, ପେଟରେ ଥିବା ଖାଦ୍ୟ ଓ ପାଣି ନମୁନା ପରୀକ୍ଷା ପାଇଁ ଆନିମଲ ଇନଷ୍ଟିଚ୍ୟୁଟକୁ ପଠାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଓ ନମୁନା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ।