ବ୍ରହ୍ମପୁର: ସୋମବାର ଗୋପାଳପୁର ଥାନାରେ ଜଣେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି । ନାବାଳିକାଙ୍କ ବାପାମାଆଙ୍କ ଅଭିଯୋଗ ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି କରିବା ସହିତ ନାବାଳିକାଙ୍କୁ ପଚରାଉଚରା କରୁଛି । ପୁରୁଷ ବନ୍ଧୁ ନାବାଳିକାକୁ ଅପହରଣ, ଯୌନ ନିର୍ଯାତନା ଦେଇଥିବା ନାବାଳିକାଙ୍କ ମା' ଥାନାରେ ଅଭିଯୋଗ କରିଥିଲେ ।
ସୂଚନା ଯୋଗ୍ୟ, ସୋମବାର ଜଣେ ନାବାଳିକା ତାଙ୍କ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ । ବୁଲିସାରିବା ପରେ ଉଭୟ କିଛି ସମୟ ପାଇଁ ରହିବା ପାଇଁ ଏକ ଘର ଭଡ଼ା ମାଗିଥିଲେ। କିନ୍ତୁ ଘର ମାଲିକ କୌଣସି କାରଣରୁ ସେମାନଙ୍କୁ ମନା କରିଦେଇଥିଲେ । ଏହା ପରେ ଉଭୟ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ। ଏନେଇ ନାବାଳିକାଙ୍କୁ ଦେଖି ପୋଲିସ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ।
ଏନେଇ ପରିବାର ଲୋକେ ଖବର ପାଇ ତୁରନ୍ତ ଥାନାରେ ପହଞ୍ଚିଥିଲେ । ଏହା ଜାଣି ନାବାଳିକା ଭୟରେ କିମ୍ବା ଅନ୍ୟ କୌଣସି କାରଣରୁ ଥାନା ଭିତରେ ଫିନାଇଲ୍ ପିଇ ଦେଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ନାବାଳିକାର ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ରହିଛି । ଏହି ଘଟଣାରେ ପୋଲିସ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ନାବାଳିକାଙ୍କ ମା'ଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରି ପୋଲିସ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ।