ଝାରସୁଗୁଡା: ଗିରଫ ହେଲେ ମୟୁରଭଞ୍ଜ ଜାମଦାରର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ। ମଙ୍ଗଳବାର ତାଙ୍କୁ ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି ।
ଝାରସୁଗୁଡା ବେଲପାହାଡ଼ ମ୍ୟୁନିସିପାଲଟିରେ ମଧୁସ୍ମିତା କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେଠାରେ ୪ କୋଟି ଟଙ୍କାର ଅର୍ଥ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ମଧୁସ୍ମିତା ସିଂ ଏବେ ମୟୁରଭଞ୍ଜ ଜିଲ୍ଲାର ଜାମଦାର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ସେ ବେଲପାହାଡ ମ୍ୟୁନିସିପାଲଟିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ପ୍ରୋଜେକ୍ଟ, ଆଦି ବିଭିନ୍ନ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଥିଲା।
ଗତ ୨୭ ତାରିଖରେ ମାମଲା ଇଓଡବ୍ଲୁ ହସ୍ତାନ୍ତର ହେବା ପରେ ୩୦ ତାରିଖରେ ସୁଶ୍ରୀ ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା। ଏହି ଦୁର୍ନୀତି ମାମଲାରେ ଆଜି ତାଙ୍କୁ ଗିରଫ କରାଯାଇଛି। ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍ବୁକ୍ ନଦେଖି ୨ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ହୋଇଥିବା ଘଟଣା ଜଣାପଡ଼ିଥିଲା।