ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟାନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଥିଲା । ଏବେ ପୁଣି ଥରେ ସେହି ପ୍ରସଙ୍ଗ ଉଠିଛି । ଯାହାକୁ ନେଇ ଆଜି ବିଧାନସଭା ପରିସରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଏବଂ ପ୍ରମିଳା ମଲ୍ଲିକ । ନବୀନଙ୍କୁ ପାଗଲ କରି ରଖାଯାଇଥିଲା ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ । ଯାହାର ଜବାବରେ ପ୍ରମିଳା କହିଛନ୍ତି କି ବାର୍ଦ୍ଧକ୍ୟ ଅବସ୍ଥା ଆସିଲେ ସମସ୍ତେ ସେମିତି ହୁଅନ୍ତି ।
ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି, ଭାଗ୍ୟ ଭଲ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇ ନାହାଁନ୍ତି । ଯଦି ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ ତେବେ ସେ ଆଉ ଭଲ ଅବସ୍ଥାରେ ନ ଥାଆନ୍ତେ । ବର୍ତ୍ତମାନ ସେ ଭଲ ଅବସ୍ଥାରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଗଳ ଅବସ୍ଥାରେ ରଖାଯାଇଥିଲା । ସେ କେତେବେଳେ ଆଖି ମାରୁଥିଲେ ତ ଆଉ କେତେବେଳେ ସୁ ସୁ କରି ଫ୍ଲାଇଂ କିସ୍ ଦେଉଥିଲେ । ନବୀନ ବାବୁଙ୍କ ହାତକୁ ଚାପିକି ରଖୁଥିଲେ । ପାଣ୍ଡିଆନ୍ ତାଙ୍କୁ ଗୋଇଠା ମାରୁଥିଲେ । କିନ୍ତୁ ସେ ବର୍ତ୍ତମାନ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି, ଭଲରେ ଚାଲୁଛନ୍ତି, ହାତ ବି ଥରୁ ନାହିଁ ବୋଲି କହିଛନ୍ତି ପଦ୍ମଲୋଚନ ।
ଅଧିକ ପଢ଼ନ୍ତୁ-ଲାଲଗଡ଼ରେ ଗର୍ଜିଲା ଗୁଳି: ୨୨ ମାଓବାଦୀ ସଫା, ଜଣେ ଯବାନ ସହିଦ
ଅନ୍ୟପକ୍ଷରେ ପଦ୍ମଲୋଚନଙ୍କ ଏଭଳି ଅଭିଯୋଗ ଉପରେ ପାଲଟା ଆକ୍ଷେପ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ପଦ୍ମଲୋଚନ ପୂର୍ବରୁ କଂଗ୍ରେସରେ ପରେ ବିଜେପିକୁ ଆସିଲେ । ସେ ଏବେ ବିଜେପିର ପ୍ରଚାରପ୍ରସାରରେ ଲାଗିଛନ୍ତି । ନବୀନଙ୍କୁ ପାଣ୍ଡିଆନ ଯାଇ ଔଷଧ ଦେଉଥିଲେ, ସେ (ପଦ୍ମ ଲୋଚନ) ଯାଇ କଣ ସେଠାରେ ଦେଖୁଥିଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରମିଳା । ବାର୍ଦ୍ଧକ୍ୟ ଅବସ୍ଥା ହେଲେ ସମସ୍ତଙ୍କର ହାତ ଥରେ, ତାଙ୍କର ବି ଥରିବ, ମୋର ବି ଥରିବ ବୋଲି ଜବାବ ରଖିଛନ୍ତି ପ୍ରମିଳା ।
ଅଧିକ ପଢ଼ନ୍ତୁ- ବିଧାନସଭାରେ ହୁଇସିଲ ମାରି ପ୍ରତିବାଦ କଲା କଂଗ୍ରେସ