ବିଜାପୁର: ଛତିଶଗଡ଼ରେ ପୁଣି ଥରେ ଗର୍ଜିଛି ଗୁଳି । ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମା ସୁରକ୍ଷାବାହିନୀ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨୨ ଜଣ ମାଓବାଦୀ ଟଳିଥିବାବେଳେ ଜଣେ ଡିଆରଜି ଯବାନ ପ୍ରାଣବଳି ଦେଇଛନ୍ତି ।
ଗୁରୁବାର ସକାଳରେ ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ପୃଥକ ପୃଥକଭାବେ ମାଓ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା । ବିଜାପୁର ଏବଂ ଦନ୍ତେୱାଡ଼ା ସୀମା ଅଣ୍ଡରୀ ପାହାଡ଼ରେ ମାଓବାଦୀ ଲୁଚି ରହିଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍), ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଓ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସକାଳ ପ୍ରାୟ ୭ଟା ବେଳେ ଶୁଭିଥିଲା ଗୁଳିର ଗର୍ଜନ । ଉଭୟ ପକ୍ଷରୁ ଘମାଘୋଟ ଗୁଳି ବର୍ଷଣ ହୋଇଥିଲା । କିନ୍ତୁ ଯବାନଙ୍କ ଗୁଳିକୁ ସାମ୍ନା କରି ପାରି ନ ଥିଲା ଲାଲବାହିନୀ । ଗୋଟିଏ ପରେ ଗୋଟିଏ ଟଳିପଡ଼ିଥିଲେ । ଘଟଣା ସ୍ଥଳରୁ ୧୮ ଜଣ ମାଓବାଦୀଙ୍କ ମୃତ ଦେହ ଜବତ କରାଯାଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ କାଙ୍କେର ଜିଲ୍ଲାରେ ମଧ୍ୟ ଏନକାଉଣ୍ଟରରେ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।
ଏହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିବା କୁହାଯାଉଛି । ଗଙ୍ଗାଲୁର ଥାନା ଅଧିନରେ ଆସୁଥିବା ଏହି ଅଞ୍ଚଳ ଦନ୍ତେୱାଡ଼ା ଜିଲ୍ଲାର ବୈଲାଡୀଲା ପାହାଡକୁ ଲାଗି ରହିଛି । ତେବେ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼କୁ ନକ୍ସଲ ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଜାନୁୟାରୀରୁ ଏବେ ଯାଏଁ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇ ସାରିଲାଣି ।