ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ମେଟ୍ରୋ ପ୍ରକଳ୍ପ କାର୍ୟ୍ୟକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ ସୂଚନା ଦେଇଛନ୍ତି । ୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ ଶନିବା ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି । ମେଟ୍ରୋ ପ୍ରକଳ୍ପ ସମୀକ୍ଷା ପରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ପ୍ରଥମ ୨୦ଟି ଷ୍ଟେସନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ସେ କହିଛନ୍ତି ।
ସାଂସଦଙ୍କ ସୂଚନା ମୁତାବକ, ୨୦୨୩ରେ ତତ୍କାଳୀନ ସରକାର ଅନୁମୋଦନ କରିବା ପରେ ଫେଜ୍-୧ କାମ ଆରମ୍ଭ ହୋଇଛି । ପ୍ରକଳ୍ପ ପାଇଁ ମୋଟ୍ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ବ୍ୟୟବରାଦ କରାଯାଇଥିବାବେଳେ ପ୍ରାୟ ୪୬୦ କୋଟି ଟଙ୍କା ରାଜ୍ୟ ସରକାର ବିମୁକ୍ତ କରିଛନ୍ତି । ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୩୫୦ କୋଟି ଟଙ୍କା ରାଜ୍ୟ ସରକାର ଦେବେ । ସମୁଦାୟ ୮୫୦ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଆଗାମୀ ବର୍ଷ ୧୭୦୦ କୋଟି ଟଙ୍କା ସରକାର ବିମୁକ୍ତ କରିବେ । କେନ୍ଦ୍ର ସରକାର କୌଣସି ସହାୟତା ଦେବା ନେଇ ଏ ପର୍ଯ୍ୟନ୍ତ ଯୋଜନା ନାହିଁ । ଦିଲ୍ଲୀ ମେଟ୍ରୋ କର୍ପୋରେସନ୍ ସହିତ ମିଶି ଏହି କାମ କରାଯିବ ।
ପ୍ରଥମ ପର୍ଯ୍ୟାୟ ୨୬ କିଲୋମିଟର ପର୍ଯ୍ୟନ୍ତ ମେଟ୍ରୋ ଲାଇନ ତିଆରି ହେବ । ଯେଉଁଥିରେ ୨୦ଟି ଷ୍ଟେସନ ରହିବା ସହିତ ୧୩ଟି ମେଟ୍ରୋ ଚାଲିବ । ଗୋଟିଏ ଟ୍ରେନରେ ୩ଟି କ୍ୟାରେଜ୍ ରହିବ । ମଧ୍ୟ ଭୁବନେଶ୍ୱର ବିଧାନସଭା କ୍ଷେତ୍ରରେ ୪ଟି, ଏକାମ୍ର କ୍ଷେତ୍ରରେ ୩ଟି, ଉତ୍ତର ଭୁବନେଶ୍ୱରରେ ୧୦ଟି ଏବଂ କଟକରେ ୩ଟି ଷ୍ଟେସନ ନିର୍ମାଣ କରାଯିବ । ସେହି ସ୍ଥାନଗୁଡ଼ିକ ହେଲା ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, କ୍ୟାପିଟାଲ୍ ହସପିଟାଲ୍ ଛକ, ବାପୁଜୀ ନଗର, ଭୁବନେଶ୍ଵର ରେଲୱେ ଷ୍ଟେସନ, ରାମ ମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ ଦେଇ ଜୟଦେବ ବିହାର, ଜାଭିୟର୍ ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ପଟିଆ, କିଟ୍, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନ କାନନ, ବାରଙ୍ଗ, ଫୁଲ ପୋଖରୀ ଓ ତ୍ରିଶୂଳିଆରେ ରହିବ । ପ୍ରତ୍ୟେକ ଦିନ ପ୍ରାୟ ୯୫ ହଜାର ଲୋକଙ୍କ ଯାତାୟତ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ୯୨ ଏକର ଜମି ଆବଶ୍ୟକ ଥିବାବେଳେ ସରକାର ଅଧିକାଂଶ ଜମି ହସ୍ତାନ୍ତର କରିଛନ୍ତି, ଆଉ ୧୫ ଏକର ଖୁବଶୀଘ୍ର ଦିଆଯିବ । ଓଡ଼ିଶାର ସଂସ୍କୃତି ଏବଂ ସଭ୍ୟତାକୁ ନେଇ ଷ୍ଟେସନ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ସାଂସଦ ।