କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଛି ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ଆଶଙ୍କା ରହିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରଖାଯାଇଥିଲା । ତେବେ ଦୀର୍ଘ ୩ ମାସ ପରେ ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ ।
ତେବେ ପର୍ଯ୍ୟଟକମାନେ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ସହ ଅନ୍ୟ ବହି ପଢ଼ିବାର ସୁଯୋଗ ମଧ୍ୟ ପାଇପାରିବେ । ଏହାସହ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରାକୃତିକ ସୌଦର୍ଯ୍ୟକୁ ଉପଭୋଗ କରିପାରିବେ । ଖାଲି ସେତିକି ନୁହେଁ, ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର କୁମ୍ଭୀର ମଧ୍ୟ ଦେଖିପାରିବେ ।