ଭଦ୍ରକ: ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ଭଦ୍ରକ ସହର । ଏଥିପାଇଁ ଭବ୍ୟ ଆୟୋଜନ ହୋଇଛି । ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗେରୁଆ ପତାକାରେ ଅଚ୍ଛାଦିତ ହୋଇ ଯାଇଛି ଭଦ୍ରକର ରାସ୍ତାଘାଟ । ଆଜି ଯଜ୍ଞର ପୂର୍ଣ୍ଣାହୁତି ସହିତ ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରା କରାଯିବ । ଅପରାହ୍ନ ୩ଟାରେ ବହାରିବ ନଗର ସଂର୍କିତ୍ତନ । ଭଦ୍ରକର ବିଭିନ୍ନ ପ୍ରାନ୍ତରୁ ସୁସଜ୍ଜିତ ୮୮ଟି ମେଢ ଏଥିରେ ସାମିଲ ହେବେ । ଏହି ମେଢ ଭଦ୍ରକର ନେହେରୁ ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରି ଗାନ୍ଧୀ ପଡ଼ିଆରେ ପହଞ୍ଚିବ ।
ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ଭଦ୍ରକରେ ଏଥିପାଇଁ ୨୭ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୫ ଜଣ ଅତିରିକ୍ତ ଏସପି, ୧୮ ଜଣ ଡି ଏସପି, ୩୭ ଜଣ ଇନ୍ସପେକ୍ଟର ଏବଂ ୧୪୨ ଜଣ ଏସଆଇ ଏବଂ ଏଏସଆଇ ନିୟୋଜିତ ରହିବେ ।
ସହର ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଉଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ଶୋଭାଯାତ୍ରା ବେଳେ ଯେକୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ନହେବ ସେଥିପାଇଁ ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ଲଗାଯିବା ସହ କଂଟ୍ରୋଲ ରୁମର ବ୍ୟବସ୍ଥା ହୋଇଛି । ରାମନବମୀ ପାଳନ ବେଳେ କୌଣସି ପ୍ରକାର ଅଘଟଣକୁ ଏଡ଼ାବାକୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଥିବା ବେଳେ ଭିଡିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଇଛି ।