ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବ୍ରହ୍ମପୁର ପୋଲିସର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଥିବା ସତୀଶ ମିଶ୍ର ଓରଫଅ ମଉଜ ଗିରଫ ହୋଇଛି । ତାକୁ ଭୁବନେଶ୍ୱର ଜଟଣୀରୁ ଗିରଫ କରାଯାଇଛି । ମଉଜ ନାଁରେ ଦୁଇଟି ହତ୍ୟାକାଣ୍ଡ, ଗୁଳିକାଣ୍ଡ, ବୋମାମାଡ଼ ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି ।
ମଉଜ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ବହୁ ବଡ଼ ହତ୍ୟାକାଣ୍ଡରେ ମଧ୍ୟ ତାର ସମ୍ପୃକ୍ତି ଥିବା ପୋଲିସ କହିଛି । ୨୦୦୬ରେ ଗଣେଶ ସୁନା ହତ୍ୟାକାଣ୍ଡ ଓ ୨୦୧୩ରେ ଗୋଷାଣୀ ନୂଆଗାଁ ଶାନ୍ତି ମିଶ୍ର ହତ୍ୟାକାଣ୍ଡରେ ସେ ସଂଶ୍ଳିଷ୍ଟ ଅଛି । ଶାନ୍ତି ମିଶ୍ର ହତ୍ୟା ମାମଲାରେ ସେ ଜେଲ ଯାଇ ଜାମିନରେ ଆସିଥିବା ଜଣାପଡ଼ିଛି । ଶାନ୍ତି ମିଶ୍ର ହତ୍ୟା ଘଟଣାରେ କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ମଉଜ ଜାମିନରେ ଆସିବା ପରେ ଫେରାର ହୋଇଯାଇଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଗିରଫ କରିବାକୁ ପୋଲିସ ଚେଷ୍ଟା କରିଥିଲା । ଏପରିକି ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଉପରକୁ ଗୁଳିଚାଳନା କରି ହତ୍ୟା ଉଦ୍ୟମ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଛାନଭିନ ପରେ ସେ ଭୁବନେଶ୍ୱରରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଶେଷରେ ଜଟଣୀରୁ ମଉଜକୁ ଗିରଫ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।