ଭୁବନେଶ୍ୱର: ଆଉ କିଛି ସମୟ ପରେ ମାଟିରେ ମିଶିବ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ । ଏହା ପୂର୍ବରୁ ଅନ୍ତେବାସୀ ଆଶ୍ରମ ଖାଲି କରୁଛନ୍ତି । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସମୟ ଦେଇଛି । ଏହା ପରେ ଆଶ୍ରମ ଖାଲି ହେବ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ସରକାରୀ ଜମି ଜବର ଦଖଲ କରି ରହିଥିବା ନେଇ ସ୍ପଷ୍ଟ ହୋଇଛି । ହାଇକୋର୍ଟ ମିଥ୍ୟା ସତ୍ୟପାଠ ଦାଖଲ କରିବା ବୈକୁଣ୍ଠଧାମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜାନୁଆରି ୧୦ ତାରିଖରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ଏବଂ ଆଶ୍ରମର ଜବର ଦଖଲ ଉଚ୍ଛେଦ କରିବାକୁ ବିଡିଓକୁ ଅନୁମତି ପ୍ରଦାନ କରିଛନ୍ତି । ଗତକାଲି ବୈକୁଣ୍ଠ ଧାମକୁ ଖାଲି କରିବାକୁ ବିଡିଏ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଥିଲା ।
ସରକାରୀ ଜମି ଉପରେ ବୈକୁଣ୍ଠ ଧାମ ଆଶ୍ରମ
୨୦୨୪ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡ଼ିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ବୈକୁଣ୍ଠଧାମ ଆଶ୍ରମରେ ମାପଚୁପ କରିଥିଲା । ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି । ଯାହାକୁ ଉଚ୍ଛେଦ କରିବାକୁ ବିଡିଏ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟରେ ପାଠ ଦାଖଲ କରି କହିଥିଲେ ଯେ ଏହା ଏକ ଯୋଗ ଶିକ୍ଷାକେନ୍ଦ୍ର । ଏହା ସହିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠି ସତ୍ୟପାଠରେ ଦିଆଯାଇଥିଲା । ସେଥିପାଇଁ କୋର୍ଟ ଏହା ଉପରେ ରହିତାଦେଶ ଲାଗୁ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହା ମିଥ୍ୟା ସତ୍ୟପାଠ ବୋଲି ହାଇକୋର୍ଟ ଅବଗତ ହେବା ପରେ ଆଶ୍ରମ ଉଚ୍ଛେଦ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ପୁଅକୁ କଳକୀ ଅବତାର କହୁଥିଲେ ଆତ୍ମଘୋଷିତ ବାବା କାଶୀନାଥ
ବୈକୁଣ୍ଠ ଧାମର ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର ନିଜ ପୁଅ ସତ୍ୟ ଅନନ୍ତ ମାଧବକୁ କଳକୀ ଅବତାର ବୋଲି କହୁଥିଲେ । ଏଠାକୁ ପ୍ରତିଦିନ ଭକ୍ତଙ୍କ ଆଗମନ ହେଉଥିଲା । ପ୍ରବଚନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ପୁଅର ପାଦ ତଳେ ତୁଳସୀ ରଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ବାବା କାଶୀନାଥ ଏବଂ ତାଙ୍କ ପୁଅ ଚମ୍ପଟ ମାରିଥିଲେ । ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରିଚକିଆ ଗାଡ଼ି ମିଳିଥିଲା ।