ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେଡ଼ି ଯେଉଁ ପରାଜୟ ବରଣ କରିଛି, ତାହାକୁ ଦଳର ନେତା ୫ ମାସ ପରେ ମଧ୍ୟ ଭୁଲି ପାରୁ ନାହାଁନ୍ତି । ନିର୍ବାଚନର କାରଣ ଖୋଜା ଚାଲିଛି । କିନ୍ତୁ କିଛି ନେତା ଦଳରେ ପାଣ୍ଡିଆନଙ୍କ ଆଧିପତ୍ୟ ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତାକୁ ସିଧାସଳଖ ଦାୟୀ କରିଛନ୍ତି । ଏହି କ୍ରମରେ ଯୋଡ଼ି ହୋଇଛି ଅମର ପ୍ରସାଦ ଶତପଥୀଙ୍କ ନାମ । ଆଉ ତାଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ।
ଅମର ଶତପଥୀ କହିଛନ୍ତି ଯେ ଆଗରୁ ପ୍ରତ୍ୟେକ ନିର୍ବାଚନରେ ଦଳର ବିଜୟ ହେବା ପରେ ନବୀନ ବାବୁ ଶ୍ରେୟ ନେଉଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଦଳ ହାରିଛି । ଦଳ କାହିଁକି ନିର୍ବାଚନ ହାରିଲା ତାହାର ଦାୟିତ୍ୱ ନବୀନ ନିଅନ୍ତୁ । ସେ ଆହୁରି କହିଛନ୍ତି ଯେ ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ । ଆଶା କରିଥିଲୁ ସବୁ ଦାୟିତ୍ୱ ସେ ନେବେ। ବିଜୟର ଶ୍ରେୟ ଯେମିତି ନେଉଥିଲେ, ପରାଜୟର ବି ଦାୟିତ୍ୱ ନବୀନ ପଟ୍ଟନାୟକ ନେବା ଆବଶ୍ୟକ । ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲାଇଲେ ହିଁ ଦଳ ଚାଲିବ।
ସେହିପରି ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ । ଆମେ ନବୀନ ବାବୁଙ୍କୁ ହିଁ ନେତା ବାଛିଥିଲୁ । ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ଭୋଟ୍ ଦେଇଥିଲେ। ବିଜେଡି ସୁପ୍ରିମୋ ଜବାବ ଦେବେ ଦଳ କାହିଁକି ହାରିଲା, ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଲା? ଯେଉଁମାନେ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି ସେମାନେ ଭୁଲ କହୁଛନ୍ତି । ଏହା ମୋ ବିଚାରରେ ଠିକ୍ ନୁହେଁ ।
ତେବେ ଅମର ଶତପଥୀଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ସମ୍ବିତ ରାଉତରାୟ । ସେ କହିଛନ୍ତି, ଅମର ଶତପଥୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ କଥା । ଜଣେ ଅନୁଭବି ନେତା ଭାବେ ତାଙ୍କର ମତାମତ ସେ ରଖିଛନ୍ତି । ଯାହା କହୁଛନ୍ତି ଠିକ୍ ମଧ୍ୟ କହୁଛନ୍ତି । କିନ୍ତୁ ସଭାପତି ଜିଲ୍ଲା ୱାରି ସମୀକ୍ଷା କରିଛନ୍ତି । ବିଭିନ୍ନ ନେତାମାନଙ୍କୁ ନେଇ କମିଟି ଗଠନ କରାଯାଇ ବୈଠକ ମଧ୍ୟ ହେଉଛି ।