ରାଉରକେଲା: ନିଜକୁ ଭିଜିଲାନ୍ସ ଅଧିକାରୀ କହି ବରିଷ୍ଠ ଓଏଏସଙ୍କଠାରୁ ଚୂନ ମାରୁ ଥିବା ଦୁଇ ଠକଙ୍କୁ ଭିଜିଲାନ୍ସ ବିଭାଗ ଜେଲ୍ ପଠାଇଛି । ଦୁଇ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଢାମାଳ ଗ୍ରାମର ଗଣେଶ ପ୍ରସାଦ ନନ୍ଦ ଏବଂ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା ।
ଗତକାଲି ଭିଜିଲାନ୍ସ ବିଭାଗ ଟିମ୍ ଏବଂ ରାଉରକେଲା ପୋଲିସ ଦୁଇ ଠକଙ୍କୁ ଗିରଫ କରିଛି । ଗଣେଶ ଏବଂ ପ୍ରଦୀପ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କଠାରୁ ଭିଜିଲାନ୍ସ ଅଧିକାରୀ କହି ୪ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଦୁଇ ଦଫାରେ ସେମାନେ ଏହି ଟଙ୍କା ନେଇଛନ୍ତି । ଗଣେଶ ଭିନ୍ନ ଭିନ୍ନ ମୋବାଇଲ୍ ନମ୍ବରରେ କଲ୍ କରୁଥିଲା । ଟ୍ରୁ କଲର୍ ଆଇଡିରେ ଭିଜିଲାନ୍ସ ଅଧିକାରୀ ବୋଲି ରଖିଥିଲା । ତେଣୁ ଜଣେ କେହି ସହଜରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ବୋଲି ମାନି ନେଉଥିଲା ।
ବଣାଇ ଥାନାରେ ଧାର ୩୦୮ (୨), ୩୧୮ (୪), ୩୧୯ (୨), ବିଏନ୍ଏସ୍ ୬୬ (ସି) (ଡି) ଏବଂ ସାଇବର୍ ଅପରାଧ ଆଧାରରେ ମାମଲା ରୁଜୁ କରାଯାଇଛି । ଉଭୟଙ୍କୁ ଗତକାଲି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା ।