ଭୁବନେଶ୍ୱର : ଧରାପଡ଼ିଲା ପାତ୍ରପଡ଼ା V2 ପାଖରେ ଦୁର୍ଘଟଣା ଘଟାଇଥିବା ଥର୍ । ଖଣ୍ଡଗିରି ଥାନା ପୋଲିସ୍ CCTV ଆଧାରରେ ଜଟଣୀ ଅଂଚଳରୁ ଗାଡି ଜବତ କରିଛି । ଜଟଣୀ ଥାନା ନିକଟରେ ଥର୍ ରଖି ଡ୍ରାଇଭର୍ ଫେରାର୍ ହୋଇଯାଇଛି।
ଗତକାଲି ଝିଅ, ମାଆ ଓ ପୁଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ଥର୍ । ଏହି ଘଟଣାରେ ଭୁବନେଶ୍ୱର ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫୁଲେଶ୍ୱରୀ ବସ୍ତିର ଲୋକେ। ଗତକାଲିର ଦୁର୍ଘଟଣା ପ୍ରତିବାଦରେ ଫୁଟ୍ ଓଭର୍ ବ୍ରିଜ୍ ନିର୍ମାଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି ଯାହା ଫଳରେ ଉଭୟ ପଟରେ ଶହ ଶହ ଗାଡ଼ି ଅଟକିଛି।
ସୂଚନା ଥାଉ କି ଗତକାଲି ବେପରୁଆ ଗାଡ଼ି ଚାଳନା ଯୋଗୁ ଭୁବନେଶ୍ୱର ପାତ୍ରପଡ଼ା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ୱର ପଟିଆ ସ୍ଥିତ ମାମୁ ଘରୁ ଫେରୁଥିଲେ ଦୁଇ ଛୁଆକୁ ଧରି ପାତ୍ରପଡ଼ାର ରେବତୀ ରାଉଳ । ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସି ମାଆ,ପୁଅ ଓ ଝିଅଙ୍କୁ ପିଟି ଚାଲିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶ୍ମା ରାଉଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟକୁ ୨ ବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।