ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଯାହାଙ୍କର ଅପେକ୍ଷାରେ ଥିଲେ, ସେ ଆଜି ପୂର୍ବାହ୍ଣରେ ଏଠାରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଭାରତର ଅନ୍ୟତମ ଚର୍ଚ୍ଚିତ ଓ ଲୋକପ୍ରିୟ ନେତା ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତାମାନେ ସ୍ୱାଗତ ଜଣାଇଥିଲେ। ଏହା ପରେ ଯୋଗୀ ଚିଲିକା ଅଭିମୁଖେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚିଲିକା ଅଭିମୁଖେ ବାହାରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବେ। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ସେ ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
ସେହିପରି ଯୋଗୀ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ। ଏହାସହିତ ୭ଟି ଯାକ ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ଉପସ୍ଥିତ ରହିବେ। ଯୋଗୀଙ୍କ ଓଡ଼ିଶା ଆଗମନ ଭାରତୀୟ ଜନତା ପାର୍ଟି ପାଇଁ ଭଲ ଫଳ ଆଣିବ ବୋଲି ଚର୍ଚ୍ଚା ହେଉଛି। ଦୁଇଟି ଯାକ ସଭାସ୍ଥଳରେ ନେତା, କର୍ମୀ ଓ ସମର୍ଥକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।