ମୟୂରଭଞ୍ଜ : ଦୀର୍ଘ ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ମଙ୍ଗଳବାର ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। ଅନ୍ୟ ପଟେ ଭାରି ଯାନ ଗୁଡିକୁ ବ୍ରେକ ଡାଉନ ହେଲେ ରାସ୍ତାରେ ଦୁଇ ତିନି ଦିନ ଧରି ଜାମ ଲାଗି ରହୁଛି। ଘାଟି ରାସ୍ତା ଜାମ ନେଇ ଖବର ଓଡିଶାରେ ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ମୟୂରଭଞ୍ଜ ଜିଲାପାଳ ବାଙ୍ଗିରିପୋଷି ଏବଂ ବିଶୋଇ ପୋଲିସକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଚିଠି କରିଛନ୍ତି ।
ପ୍ରଶାସନ ତରଫରୁ ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ୨୪ ଘଣ୍ଟା ପୁଲିସ ପାଟ୍ରୋଲିଂ ହେବା ସହ ଭାରି ଯାନ ଉପରେ କଟକଣା ଜାରି କରିଛନ୍ତି। ସୂଚନା ଅନୁଯାୟୀ ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ଭାରି ଯାନକୁ ପ୍ରତି ଦେଢ଼ ଘଣ୍ଟାରେ ଥରେ ଛଡାଯିବ, ଅନ୍ୟ ସମୟରେ ଭାରି ଯାନ ଗୁଡିକ ରାସ୍ତାର ବାମ ପାଶ୍ୱର୍ରେ ପାର୍କିଂ କରିବେ। ଘାଟି ରାସ୍ତା ଯେଭଳି ଜାମ ନ ହୁଏ ସେ ନେଇ ଉଭୟ ବାଙ୍ଗିରିପୋଷି ଓ ବିଶୋଇ ବ୍ଲକ ର ବିଡ଼ିଓ, ତହସିଲଦାର ତଦାରଖ କରିବେ। ଏହି କଟକଣା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।