ଆଜି ବିଶ୍ବ ହସ୍ତୀ ଦିବସ। ସବୁଠାରୁ ବଡ ସ୍ଥଳଚର ଜୀବ କୁହାଯାଉଥିବା ହାତୀଙ୍କୁ ନେଇ ଜନସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ।୨୦୧୨ ଅଗଷ୍ଟ ୧୨ ତାରିଖରେ କାନାଡାର ପାଟ୍ରିସିଆ ସିମ୍ସ ଓ ଥାଇଲାଣ୍ଡର ଏଲିଫାଣ୍ଟ୍ ରିଇଣ୍ଟ୍ରଡକ୍ସନ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ହସ୍ତୀ ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ଏବେ ଏଥିରେ ବିଶ୍ବର ଶତାଧିକ ହାତୀ ସଂରକ୍ଷଣ ସଂଗଠନ ସାମିଲ ହୋଇ ସାରିଛନ୍ତି।
ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି ହାତୀମାନେ। ଏଥିପାଇଁ ଜଙ୍ଗଲ ଛାଡି ହାତୀ ଏବେ ଜନବସତି ମୁହାଁ। ଏହାଦ୍ବାରା ହାତୀ ମଣିଷ ଲଢେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ମଣିଷ ମୃତ୍ୟୁ ଖବର ଶୁଣିବାକୁ ମିଳିଛି। ଏଥିପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ। ସାମ୍ପ୍ରତିକ ସମୟରେ ପରିବେଶ ସନ୍ତୁଳନ ପାଇଁ ହାତୀକୁ ବଞ୍ଚାଇ ରଖିବା ସବୁଠାରୁ ବଡ ଆହ୍ବାନ। ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ହୋଇପଡିଛି।
ହାତୀ ହେଉଛି ଏକ ଲଙ୍ଗରେଞ୍ଜ ଏନିମଲ୍। ଏମାନେ କେବେ ମଧ୍ୟ ଗୋଟିଏ ସ୍ଥାନରେ ରହନ୍ତି ନାହିଁ। ଜଙ୍ଗଲ ନଷ୍ଟ କରି ଆମେ ଘରଦ୍ୱାର ,ରାସ୍ତାଘାଟ , କେନାଲ ଓ ଖଣିଖାଦାନ ଇତ୍ୟାଦି ନିର୍ମାଣ କରି ହାତୀ ଯାଆସ ରାସ୍ତାକୁ ମାଡିବସିଛୁ । ଫଳରେ ଉଭୟ ସାମ୍ନାସାମ୍ନି ହେଉଛୁ ହାତୀ ଏବଂ ମଣିଷ। ଏଣୁ ଆମକୁ ତାଙ୍କ କଥା ଭାବିବାକୁ ପଡିବ ଏବଂ ନିଜକୁ ବଦଳାଇବାକୁ ପଡି। ଗଜବନ୍ଧୁ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପଡିବ। କେବଳ ବନବିଭାଗ ନୁହେଁ , ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ ଓ ବିଭାଗ ଏଥିପାଇଁ ଆଗକୁ ଆସିବା ଦରକାର ବୋଲି ପରିବେଶବତ୍ ମତ ପୋଷଣ କରିଛନ୍ତି।
ତେବେ ଆମ ରାଜ୍ୟରେ ପୂର୍ବ ଅପେକ୍ଷା ହାତୀ ସଂଖ୍ୟାରେ ଅନେକ ବୃଦ୍ଧି ଘଟିଛି। ଓଡିଶାରେ ୧୮୦୦ ହାତୀଙ୍କ ରହିବା ଭଳିଆ ସ୍ଥାନ ହୋଇଥିଲା ବେଳେ ଏଠାରେ ଏବେ ବହୁ ଅଧିକ ସଂଖ୍ୟକ ହାତୀ ରହୁଛନ୍ତି। ୨୦୨୪ ହାତୀ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟର ୮ଟି ବନମଣ୍ଡଳର ୩୮ଟି ବନଖଣ୍ଡରେ ୨୦୯୮ଟି ହାତୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୪୭୪ ଟି ଦନ୍ତାହାତୀ,୧୦୩୦ଟି ମାଇହାତୀ ଓ ୫୯୪ଟି ଯୁବ ଓ ଛୁଆ ହାତୀ ରହିଛନ୍ତି। ଅନୁଗୁଳ ବନମଣ୍ଡଳରେ ସର୍ବାଧିକ ୭୭୯ଟି ହାତୀ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବାରିପଦା ବନମଣ୍ଡଳରେ ୪୩୧ଟି ହାତୀ ରହିଛନ୍ତି । ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ରାସଗୋବିନ୍ଦପୁର, ବେତନଟୀ , ବାରିପଦା, ଦେଉଳୀ ଆଦି ବନାଞ୍ଚଳରେ ୧୦୫ଟି ହାତୀ ସର୍ବାଧିକ ଉପଦ୍ରବ କରୁଛନ୍ତି। ରାତିହେଲେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇ ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି।
ସେହିପରି ରାଜ୍ୟ ସଭାର ଏକ ରିପୋର୍ଟ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ଆମ ରାଜ୍ୟରେ ୬୨୪ ଲୋକଙ୍କ ପ୍ରାଣହାନୀ ହୋଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୫୦ ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି । କେବଳ ସେତିକି ନୁହେଁ ହାତୀପଲ ଅନେକ ଚାଷଜମିରେ ପସି ବ୍ୟାପଫସଲ ନଷ୍ଟ ମଧ୍ୟ କରୁଛନ୍ତି । ନିକଟରେ ସରକାର କ୍ଷୟକ୍ଷତି ଅନୁଦାନ ରାଶି ମଧ୍ୟ ବୃଦ୍ଧି କରିଛନ୍ତି।