ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ପାଳିବା ପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି । ଅନ୍ଧାର ଉପରେ ଆଲୋକର ବା ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହେଉଛି ଦୀପାବଳି । ସେଥିପାଇଁ ଆଜି ଉତ୍ସବ ମୁଖର ପୁରା ଦେଶ । ଆଉ କିଛି ଘଣ୍ଟା ପରେ ରଙ୍ଗ ବିରଙ୍ଗ ଆଲୋକରେ ଝଲସିବ ପୁରା ସହର । ହିନ୍ଦୁ ଧର୍ମର ଏହା ଏକ ପ୍ରମୁଖ ପର୍ବ । ଆଲୋକ ଏକପ୍ରକାର ସକାରତ୍ମକ ଶକ୍ତି । ତେଣୁ ଏହି ଦିନ ଲୋକମାନେ ଘରକୁ ଆଲୋକରେ ସୁସ୍ଜଜିତ କରି ନକରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ଆଲୋକ ଜାଳିଥାନ୍ତି । ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶକ୍ତିର ପର୍ବ ଦୀପାବଳୀକୁ ନେଇ ଚଳଚଞ୍ଚଳ ହୋଇଛି ପୂରପଲ୍ଲୀ ।
ପୁରାଣ କଥା ଅନୁସାରେ, ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମାତା ସୀତାକୁ ଉଦ୍ଧାର କରି ଆଜିର ଦିନରେ ଅଯୋଧ୍ୟା କୁ ଫେରିଥିଲେ । ଅଯୋଧ୍ୟାରେ ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବା ପାଇଁ ଘରେ ଘରେ ଦୀପ ଜାଳିଥିଲେ । ସେହି ଦିନରୁ ହିଁ ଭାରତ ବର୍ଷରେ ଏହି ଦିନକୁ ବେଶ ଧୁମ ଧାମରେ ପାଳନ କରାଯାଏ । ଦୀପାବଳିକୁ କୃଷି ଭିତ୍ତିକ ବିଧି ଭାବେ ମଧ୍ୟ ବିବେଚନା କରାଯାଏ । ଦୀପାବଳିରେ ଦୀପ ଏବଂ ଆଲୋକ ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିବାର ମଧ୍ୟ କୁହାଯାଏ ।
ଏହାସହ ଆଜିର ଦିନରେ ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା। ଆଜିର ଏହି ପବିତ୍ର ଅମାବାସ୍ୟାରେ ପିତୃପକ୍ଷରେ ଆସିଥିବା ନିଜର ପ୍ରିୟଜନଙ୍କୁ ବିଦାୟ ଦେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡୁଆ ଡାକ ଅନୁଷ୍ଠିତ ହୋଇଥିଲା | ସେଠାରେ ଭକ୍ତମାନେ କାଉଁରିଆ ଜାଳିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ।
ଏହାସହ ଏହି ଦିନରେ ମା' କାଳୀଙ୍କୁ ଆରଧନା କରାଯାଏ । ବିଭିନ୍ନ ପୀଠମାନଙ୍କରେ ମା' କାଳୀ ପୂଜା ପାଆନ୍ତି । ରୀତିନୀତି ଅନୁସାରେ ଚକ୍ଷୁଦାନ ପରେ ଷୋଡ଼ଶ ଉପଚାର ପୂଜା ଏବଂ ଚଣ୍ଡୀପାଠ କରାଯିବ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି ।
ଆଜିର ଦିନରେ ସମସ୍ତଙ୍କ ଘରୁ ଛୁଟି ଆସୁଛି ଉତ୍ସାହ ଓ ଉଲ୍ଲାସର ସୁଅ | ଘରେ ଘରେ ତିଆରି ହେଉଛି ଭଳି କି ଭଳି ସ୍ୱାଦିଷ୍ଟ ଖାଦ୍ୟ | ଏହାସହ ଭଳି କି ଭଳି ବାଣ ଫୁଟାଇ ସଭିଏଁ ଏହି ପର୍ବକୁ ପାଳନ କରିଥାନ୍ତି । ତେବେ ବର୍ଷରେ ଥରେ ଆସୁଥିବା ଏହି ପର୍ବକୁ ଧୁମଧାମ ରେ ପାଳନ କରନ୍ତୁ ଏବଂ ସତର୍କତାର ସହ ବାଣ ଫୁଟାନ୍ତୁ । ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଜାଳନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ | ସମସ୍ତଙ୍କୁ ଶୁଭ ଦୀପାବଳୀ ।