ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁକ ସମୟରେ ବୟସ୍କ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପାଇଁ ସେଡ୍ ର ବ୍ୟବସ୍ଥା ହେବ ବୈଠକ ଶେଷ ହେବା ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହି ବୈଠକରେ ଶୃଙ୍ଖଳିତ ନୀତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ,ସ୍ବେଚ୍ଛାସେବୀଙ୍କ ସହ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିସହ ଭିଡ ପାଇଁ ବୟସ୍କ ଓ ରୋଗାଗ୍ରସ୍ତଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ କହିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି ଯେ ଗତକାଲି ମୋର ପ୍ରତିକ୍ରିୟାକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି । ପଞ୍ଚୁକ ସମୟରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ସ୍ବାଗତ କରୁଛୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରୁ ଦୂରେଇ ରଖିବା ମୋର ଉଦ୍ଦେଶ୍ୟ ନୁହେଁ । ଗତ ବର୍ଷ ଅପେକ୍ଷା ଚଳିତ କାର୍ତ୍ତିକରେ ଶ୍ରଦ୍ଧାଳୁଙ୍କ ଭିଡ ବଢିଛି । ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରଂଜନ ଦାସ ।
ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା,ଏସପି କେ.ବିଶାଲ ସିଂହ ,ନୀତି ପ୍ରଶାସକ,ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ ଉପସ୍ଥିତ ଥିଲେ । ପଞ୍ଚୁକରେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି ।