ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଟ୍ରାଫିକ ସମସ୍ୟା। ବର୍ଦ୍ଧିତ ଲୋକସଂଖ୍ୟା, ଅହେତୁକ ଯାନବାହାନ ବୃଦ୍ଧି ଯୋଗୁଁ ସହର ମଧ୍ୟରେ ହେଉଛି ଅସମ୍ଭାଳ ଭିଡ। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ହେଉଛି ନାକେ ଦମ୍। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। ବରଂ ଦିନକୁ ଦିନ ରାସ୍ତା ସଂକୀର୍ଣ୍ଣ ହେବା ସହ ସମସ୍ୟା ଉତ୍କଟ ହେବାରେ ଲାଗିଛି।
ଆମେ କହୁଚୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ , ସିଟି ହସ୍ପିଟାଲ ଓ ଆଙ୍କୁଲି ଶିଳ୍ପାଞ୍ଚଳ ରୋଡ କଥା। ଯେଉଁଠି ଭିଡ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ମହାନଗର ବାସିନ୍ଦା। ଅନେକ ସମୟରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଏହି ଭିଡ ମଧ୍ୟରେ ଦୀର୍ଘ ସମୟ ଧରି ଫସିଯାଉଛି। ଯାହାର ପରିଣାମ ସ୍ବରୂପ ଚିକିତ୍ସାରେ ବିଳମ୍ବିତ ଯୋଗୁଁ ରୋଗୀର ମୃତ୍ୟୁ ଘଟିବା। ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଅlଙ୍କୁଲି ଶିଳ୍ପାଞ୍ଚଳ ଓଭର ବ୍ରିଜର ଏଣ୍ଡିଂ ପଏଣ୍ଟ ର। ଏହି ରାସ୍ତାଟି ମହାନଗରର ତିନି ଚାରୋଟି ୱାର୍ଡର ବହୁ ଅଞ୍ଚଳ, ଜାତୀୟ ରାଜପଥ, ଗଞ୍ଜୁ, କମଳାପୂର୍, ଗୋଳlବନ୍ଧ ପଞ୍ଚାୟତ ସହ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମିକୁ ସଂଯୋଗ କରୁଥିବାରୁ ଶହ ଶହ ସଂଖ୍ୟାରେ ଯାନବାହାନ ଏହି ରାସ୍ତା ଦେଇ ଚଳାଚଳ କରିଥାଏ।
ଏବେ ଆପଣ ଦେଖି ପାରୁଥିବେ ଏହି ଭିଜୁଆଲଟି କିପରି ଓଭରବ୍ରିଜ ଦେଇ ଆସୁଥିବା ଆମ୍ବୁଲାନ୍ସଟି ଶେଷ ମୁଣ୍ଡରେ ଥିବା ୟୁ ଟର୍ଣ୍ଣ ନିକଟରେ କିଭଳି ଭାବରେ ଫସି ଯାଇଛି। ଆମ୍ବୁଲାନ୍ସଟି ସର୍ଭିସ ରୋଡ ଭିତରକୁ ଯିବାପାଇଁ ଯେତେ ଚେଷ୍ଟା କରୁଛି, ସେଠି ବାଧକ ସାଜିଛି ସଂକୀର୍ଣ୍ଣ ରାସ୍ତା। ଗୁରୁତର ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ସେହି ଭିଡ ଭିତରେ କେବଳ ଆଗକୁ ପଛକୁ ବହୁ ସମୟ ଧରି ହେଲା ପରେ ବହୁ କଷ୍ଟରେ ଉକ୍ତ ରାସ୍ତାରେ ପ୍ରବେଶ କରୁଛି। ଆପଣ ଭାବୁଥିବେ ସମସ୍ୟା ଯେ କେବଳ ଏଇଠି ଅଟକି ଯାଇଛି ତାହା ନୁହେଁ, ସହର ସାରା ଏଭଳି ସମସ୍ୟା ଲାଗି ରହିଥିବାରୁ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। ସରକାର ଯୋଜନା ପରେ ଯୋଜନା କରି ବିକାଶ ନାମରେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଏ ଚିତ୍ର ବିକାଶର ନଗ୍ନ ଚିତ୍ରକୁ ପଦlରେ ପକାଇ ଦେଇଛି।
ସହର ମଧ୍ୟରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ତେର କୋଟି ଟଙ୍କା ବ୍ୟୟରେ ହଳଦିଆପଦର ଠାରେ ଆଧୁନିକ ଢାଞ୍ଚାରେ ଏକ ଆକର୍ଷଣୀୟ ବସ ଟର୍ମିନାଲ ନିର୍ମାଣ କରିଥିଲେ। ହେଲେ ଇତି ମଧ୍ୟରେ ବର୍ଷ ବର୍ଷ ବିତିଗଲାଣି କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ତାହା ଭୂତକୋଠି ପାଲଟି ଯାଇଥିବା ବେଳେ ସେଠାରେ ଏକ ନୂତନ ରୂପେ ତହସିଲ ଅଫିସ ଗଢି ଉଠିଛି । ରାଜ୍ୟ ସରକାର ଭୋଟରଙ୍କ ମନ ଜିଣି ନିର୍ବାଚନ ବୈତରଣୀ ପାର ହେବା ପାଇଁ କଟକ ଓ ଭୁବନେଶ୍ୱରରେ ଆକର୍ଷଣୀୟ ବସ ଟର୍ମିନାଲ ନିର୍ମାଣ କରି ଦେଇଥିବା ବେଳେ ହଳଦିଆପଦର ଠାରେ ଥିବା ବସ ଟର୍ମିନାଲକୁ ଅଣଦେଖା କରିଛନ୍ତି।