ଭୁବନେଶ୍ୱର : ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପ୍ରଭାବ। ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସିବ। ଆସନ୍ତାକାଲି ଉତ୍ତର ଆଣ୍ଡାମାନ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ୨୩ ତାରିଖରେ ଉତ୍ତର ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୨୩,୨୪ ରେ ସାରା ରାଜ୍ୟରେ ବର୍ଷା ହେବ। ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ଏହାର ଗତିପଥ।ଫଳରେ କେଉଁ ଜିଲ୍ଲା ରେ ଏହାର କେତେ ପ୍ରଭାବ ପଡ଼ିବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।
ରାଜ୍ୟରେ ଚଳିତ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ତୁଳନାରେ ୮ ପ୍ରତିଶତ କମ୍ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ୍ ମାସ ଆରମ୍ଭରୁ ଆଜି ସୁଦ୍ଧା ରାଜ୍ୟରେ ୧ ହଜାର ମିଲିମିଟର ବର୍ଷା ହୋଇଛି । ରାଜ୍ୟର ୧୯ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି ।