ଭୁୁବନେଶ୍ୱର: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ସନ୍ଦେହଘେରକୁ ଆସିଛି ଭୁବନେଶ୍ୱର କମିଶନରେଟ ପୋଲିସର ଭୂମିକା। ଏହି ଘଟଣାରେ ଦୋଷୀ ପୋଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିମନ୍ତେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି । ଅନ୍ୟପଟେ ଏତେ ସବୁ ପରେ ମଧ୍ୟ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭରତପୁର ଥାନା ଘଟଣା ପାଇଁ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦାୟୀ କରିବାକୁ ପଛାଇନାହାନ୍ତି ।
ସେପଟେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଚିଠି ଲେଖି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବା ପାଇଁ ସେନାର ବରିଷ୍ଠ ଅଧିକାରୀ ସେଂଟ୍ରାଲ ଇଣ୍ଡିଆର କମାଣ୍ଡିଂ ଜେନେରାଲ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ପିଏସ୍ ଶେଖାୱତ ଅନୁରୋଧ କରିଛନ୍ତି । ଏହି ଘଟଣାକୁ ନେଇ ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି ।
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏହି ଘଟଣାକୁ ନିନ୍ଦନୀୟ ଓ ଲୋମହର୍ଷକ କହିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଓ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ଏହି ଘଟଣାରେ ବିଚାରବିଭାଗୀୟ ତଦନ୍ତ ଦାବି କରିଛି । ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଅଭିଯୁକ୍ତ ପେସଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଦାଏର ହୋଇଥିଲେ ମଧ୍ୟ କାହିଁକି ସେମାନଙ୍କୁ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କ ସରକାର ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବ। କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଆସିବ ଏବଂ କାର୍ୟ୍ୟାନୁଷ୍ଠାନ ନିଆଯିବ । ମହିଳା ହିଂସା ବିରୁଦ୍ଧରେ ତାଙ୍କ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ପୋଲିସ କର୍ମଚାରୀଙ୍କୁ ନିଲମ୍ବନ ସହ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ଏମସ୍ ହସ୍ପିଟାଲ ଯାଇ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ଭେଟି ଆଲୋଚନା କରିଛନ୍ତି । ସରକାର ୫ ଜଣଙ୍କୁ ସସପେଣ୍ଡ କରିଛନ୍ତି । ଦୋଷୀ ଯିଏବି ହୁଅନ୍ତୁ, ଯେଡ଼େ ବଡ଼ ଅଫିସର ହୁଅନ୍ତୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।