ଯାଜପୁର: ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଯାଜପୁରର କୁସୁମା ଠାରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୪ । ଗୁରୁବାର ରାଜ୍ୟରେ ବିଜେପି ସରକାରର ୧୦୦ଦିନ ପୂରଣ ହୋଇଥିବା ବେଳେ ଏହି ଉପଲକ୍ଷେ ଯାଜପୁରରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାୟାଇଥିଲା। ଏଥିସହ ସ୍ୱଚ୍ଛଭାରତ ଅଭିଯାନର ସ୍ୱଚ୍ଛତା କାର୍ଯ୍ୟକ୍ରମ ବଜାୟ ରଖିବା ପାଇଁ ଏକ ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରାଜ୍ୟ ଉଚ୍ଚଶିକ୍ଷା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ଯୁବ କ୍ରିଡା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଅନ୍ୟତମ ଅତିଥି ଭାବେ ଯାଜପୁର ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା, ବଡଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଭୂଷଣ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ସ୍ୱଳ୍ପ ଦିନର ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମାତ୍ର ୧୦୦ଦିନ ମଧ୍ୟରେ ସରକାର ଦେଇଥିବା ପ୍ରତିଶୃତି ପୂରଣ କରି ନିଜ ପାରଙ୍ଗମତାର ପରିଚୟ ଦେଇସାରିଛନ୍ତି। କଥାରେ ନୁହେଁ କାର୍ଯ୍ୟରେ ମୋହନ ସରକାର ନିଜ ପ୍ରତିଶୃତି ରକ୍ଷା କରିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ। ସେହିପରି ଯାଜପୁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଐତିହ୍ୟ ଓ ସଂସ୍କୃତି, କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ବିଜେପି ଦେଖିଥିବା ସ୍ୱପ୍ନ ଅବିଳମ୍ବେ ସାର୍ଥକ ରୂପ ନେବ ବୋଲି ସାଂସଦ ଶ୍ରୀ ବେହେରା କହିଥିଲେ। ଏହି ଅବସରରେ ମନ୍ତ୍ରୀ ଏକ ହସ୍ତଶିଳ୍ପ ମେଳା ଓ ସ୍ୱାସ୍ଥ୍ୟ ମେଳାର ଉଦଘାଟନ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ, ମହିଳା ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।