ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ ପାଗ ବଦଳିବ । ଆକାଶ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ।
ସୂଚନା ଅନୁଯାୟୀ , ସମ୍ଭାବ୍ୟ ଲଘୁଚାପ ଫଳରେ ଆସନ୍ତା ୧୫ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ , ଆସନ୍ତା ୧୫ ତାରିଖ ଠାରୁ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ବର୍ଷାର ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ପାଗ ଶୁଖିଲା ରହିପାରେ । ଆସନ୍ତା ୧୬ ତାରିଖରେ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ବର୍ଷା ହେବାର ଆଶଙ୍କା ରହିଛି । ରାଜ୍ୟରେ ବର୍ତ୍ତମାନ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ , ଆସନ୍ତା ୧୪ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଯାହା ଆସନ୍ତା ୧୫ତାରିଖ ରେ ଲଘୁଚାପ ରୂପ ନେବ । ପରେ ଏହା ଘନୀଭୂତ ହୋଇ ପ୍ରାୟତଃ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୭ ତାରିଖଠାରୁ ସମୁଦ୍ର ସଂଲଗ୍ନ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିପାରେ । ବିଶେଷ କରି ପୁରୀଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଏହାର ଚିତ୍ର ଅଧିକ ସ୍ପଷ୍ଟ ହେବ ।
ସେ ଆକଳନ କରି କହିଛନ୍ତି ଯେ ,ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସମେତ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା କମିବାର ସମ୍ଭାବନା ନାହିଁ । ୧୮ ତାରିଖଠାରୁ ଉପକୂଳରେ ରାତି ତାପମାତ୍ରା କମିପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ୧୫ ତାରିଖଠାରୁ ରାତି ତାପମାତ୍ରା କମିବା ସମ୍ଭାବନା ଅଛି । ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ଆସନ୍ତା କାଲିଠାରୁ ରାତି ତାପମାତ୍ରା ହ୍ରାସ ପାଇପାରେ । ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ଡକ୍ଟର ପଶୁପାଳକ କହିଛନ୍ତି ।
ଆଗକୁ ପଢନ୍ତୁ :- ଜଳିଗଲା ଯାତ୍ରୀବାହୀ ବସ୍