କଟକ: ବାରବାଟୀରେ ବଢ଼ିବ ସିଟ୍ ସଂଖ୍ୟା, ଷ୍ଟାଡିୟମର ହେବ ଉନ୍ନତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଏମିତି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା ।
ଦମଦାର ବୋଲିଂ ଫଳରେ ୭୪ ରନରେ ଅଲ୍ ଆଉଟ୍ ଓ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିବା ବେଳେ ୨୮ ବଲରେ ୫୯ ରନ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ମ୍ୟାନ୍ ଇନ୍ ବ୍ଲୁ ୧୦୧ ରନ୍ ରେ ଜିତିଛି। ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ହିଁ କରିପାରିଥିଲା।
ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୂରା ପୁଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଆଗକୁ ଷ୍ଟାଡିୟମ୍ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ । ଏଥିପାଇଁ ସରକାର ପୂରା ତତ୍ପର ଅଛନ୍ତି । ଆଗକୁ ଷ୍ଟାଡିୟମ୍ କିଭଳି ଦର୍ଶକ ବସିବା କ୍ଷମତା ବଢ଼ାଯିବ ସେନେଇ ସରକାର ଯତ୍ନବାନ ରହିଛନ୍ତି । ରାଜ୍ୟ ସରକାରଙ୍କ ପାଖକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରସ୍ତାବ ରହିଛି । ଏହାକୁ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି OCA ସମ୍ପାଦକ ସଞ୍ଜୟ ବେହେରା ଏନେଇ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ: ୪୦ କିମି ଦୂରରେ ମିଳିଲା କଟାମୁଣ୍ଡ