ମାଲକାନଗିରି: ମାଲକାନଗିରି ଜିଲ୍ଲା ରାଖେଲଗୁଡ଼ାର ମୃତ ମହିଳା ଲାକେ ପଡ଼ିଆମି କଟା ମୁଣ୍ଡ ଦୀର୍ଘ ୬ ଦିନ ପରେ ମିଳିଛି । ମୃତ ଦେହ ମିଳିଥିବା ସ୍ଥାନରୁ ପ୍ରାୟ ୪୦ କିଲୋମିଟର ଦୂରରେ କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ କଟାମୁଣ୍ଡ ମିଳିଛି । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଗତ ୪ ତାରିଖରେ ଡୁଡାମେଟା ନଦୀ କୂଳରୁ ମିଳିଥିଲା । ସ୍ଥାନୀୟ ଲୋକେ ମୁଣ୍ଡକୁ ଦେଖି ଖବର ଦେବା ପରେ ପୋଲିସ ତାହାକୁ ଜବତ କରିଛି ।
ମହିଳାଙ୍କ ମୃତ୍ୟୁକୁ ନେଇ ଏମଭି-୨୬ ଓ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବାବେଳେ ୧୬୩ ଧାରା ଜାରି ରହିଛି । କଟାମୁଣ୍ଡକୁ ଖୋଜି ବାହାର କରିବାକୁ ରାଖେଲଗୁଡ଼ା ଗ୍ରାମବାସୀ ଜିଦରେ ଅଡ଼ି ବସିଥିଲେ । ବହୁତ ବୁଝାସୁଝା ପରେ ଗତକାଲି ମହିଳା ପ୍ରତିକାରାତ୍ମକ ମୁଣ୍ଡ ତିଆରି କରି ଶବଦାହ କରାଯାଇଥିଲା । ପୋଲିସ ଉକ୍ତ ମୁଣ୍ଡକୁ ଫରେନସିକ୍ ଟିମକୁ ଦେଇଛି । ଯାଞ୍ଚ ପରେ ଉକ୍ତ ମୁଣ୍ଡଟି ଲାକେଙ୍କର କିମ୍ବା ନୁହେଁ ତାହା ସ୍ପଷ୍ଟ ହେବ । ତେବେ କଟାମୁଣ୍ଡ ଉଦ୍ଧାର ହେବା ପରେ ଦୁଇ ଗ୍ରାମ ମଧ୍ୟରେ ଶାନ୍ତି ଫେରିବ ବୋଲି ଆଶା ଉଜ୍ଜୀବିତ ହୋଇଛି । ତଥାପି ପୋଲିସ ଦୁଇ ଗ୍ରାମରେ ମୁତୟନ ଅଛନ୍ତି ।
ଗତ ୪ ତାରିଖରେ ରାଖେଲଗୁଡ଼ା ଗ୍ରାମର ଲାକେ ପଡ଼ିଆମି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ କୋରୁକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡାମେଟା ନଦୀ କୂଳରୁ ମିଳିଥିଲା । ଏମଭି-୨୬ରେ ଗ୍ରାମର ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ରାଖେଲଗୁଡ଼ା ଗ୍ରାମବାସୀ ସନ୍ଦେହ କରି ଏମଭି-୨୬ ଗ୍ରାମର ୧୬୩ ଘରେ ଜାଳି ଦେଇଥିଲେ । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା ।