ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନର ରଣନୀତି ପାଇଁ ଓଡିଶାକୁ ଜାରି ରହିଛି ହେବିୱେଟଙ୍କ ଆଗମନ। ଏଥିପାଇଁ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗମନ ଆରମ୍ଭ ହୋଇଛି। ତେବେ ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ଏହି ଗସ୍ତ ସମୟରେ ସେ ୩ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଞ୍ଜରେ କୋର କମିଟି ବୈଠକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ଅଛି।ସେ ନବରଙ୍ଗପୁର ଓ ବ୍ରହ୍ମପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିବେ। ପରେ ବାରିପଦାର ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ରାଜନାଥ ସିଂହ ଆସନ୍ତାକାଲି ଦିନ ୧୧ଟା ୪୦ରେ ଛତିଶଗଡ଼ର ବସ୍ତର ଜିଲ୍ଲାରୁ ଆସି ନବରଙ୍ଗପୁରରେ ପହଞ୍ଚି ସେଠାରେ ସେନାର ପୂର୍ବତନ ଅଧିକାରୀ ଓ ଯବାନଙ୍କ ସହ ଆଲୋଚନା କରିବେ। ତାପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସେଠାରୁ ସେ ବ୍ରହ୍ମପୁର ଆସି ବିଜେପି କର୍ମୀ ସମ୍ମିଳନୀରେ ସାମିଲ ହେବେ। ଏହା ପରେ ଅପରାହ୍ନ ୪ଟା ୫୦ ମିନିଟରେ ବାରିପଦାରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢନ୍ତୁ:ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ; ବୈଦେଶିକ ବ୍ୟାପାର ମନ୍ତ୍ରୀ