ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନରେ ଖରା ତାତିକୁ ବଳି ଯାଉଛି ରାତିର ଯନ୍ତ୍ରଣା। ଆଜି ପୁଣି ବଢ଼ିଲା ତାତି। ରାଜ୍ୟର ୭ ଟି ସହରରେ ଦିନ ତାପମାତ୍ରା ୪୧ଡ଼ିଗ୍ରୀ ଛୁଇଁଛି। ମାଲକାନଗିରିରେ ସର୍ବାଧିକ ୪୧.୭ ଡ଼ିଗ୍ରୀ ରେକର୍ଡ ହୋଇଛି।
ଆଗାମୀ ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଆସନ୍ତା କାଲିଠାରୁ ରାଜ୍ୟର କେତେକ ଜିଲ୍ଲାରେ ଦିନରେ ଅସମ୍ଭାଳ ତାତି ସହ ପ୍ରବଳ ଗୁଳୁଗୁଳି ଅନୁଭୂତି ହୋଇପାରେ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ଦିନ ବେଳା ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଅସମ୍ଭାଳ ତାତି ସହିତ ଗୁଳୁଗୁଳି ଅନୁଭୂତ ହେବ। ଏହିସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।