ଦୁର୍ଘଟଣା ନେଲା ଡାକ୍ତରଙ୍କ ଜୀବନ । ଅଧାରେ ରହିଗଲା ନୂଆ କରି ସଂସାର ଆରମ୍ଭ କରିବାକୁ ଥିବା ଜୀବନ । ଗତକାଲି ବମିଖାଲ ରେଲୱେ ଓଭରବ୍ରିଜ ତଳେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଯୁବ ଡାକ୍ତର ଅମିତ ବିଶୋୟୀଙ୍କ ଜୀବନ ଚାଲିଯାଇଛି । ମୃତ ଅମିତଙ୍କ ଘର ଗଞ୍ଜାମରେ ତେବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଆସନ୍ତା ଡିସେମ୍ବର ୧୦ରେ ହୋଇଥାନ୍ତା ଅମିତଙ୍କ ନିର୍ବନ୍ଧ । ୨୦୨୪ ଫେବ୍ରୁଆର ୨୮ରେ ହୋଇଥା’ନ୍ତା ବାହାଘର । ହେଲେ ତା’ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବ ଡାକ୍ତର ଅମିତଙ୍କ ଜୀବନ। ତାଙ୍କ ନାଁ ଅମିତ ବିଶୋୟୀ।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦.୫୦ରୁ୧୧ଟା ମଧ୍ୟରେ ସେ କାର୍ରେ ରସୁଲଗଡ଼ ପଟୁ କଳ୍ପନା ଆଡକୁ ଯାଉଥିବା ବେଳେ ବମିଖାଲ ବ୍ରିଜର ଡିଭାଇଡରେ ପିଟି ହୋଇଥିଲେ । କାର୍ଟି ଚୁରମାର ହୋଇଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କ୍ୟାପିଟାଲ ହସପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ପ୍ରାଥମିକ ତଦନ୍ତ ଏବଂ ସିସିଟିଭି ଫୁଟେଜରୁ ଯାହା ଜଣାପଡିଛି ଖାଲଖମା ରାସ୍ତାରେ କାରଟି ସାମ୍ନାରେ କୁକୁର କିମ୍ବା ଗାଈ ଚାଲି ଆସିଥିଲା ଏବଂ ନିରହ ପଶୁଙ୍କ ଜୀବନ ରକ୍ଷା କରିବାକୁ ଯାଇ ଡାକ୍ତର ଜଣକ କାର ବୁଲେଇବା ସମୟରେ ଡିଭାଇଡରରେ ମାଡହୋଇ ଏହି ଦୁର୍ଘଟଣା ଘଟିଛି ।
ଅଧିକ ପଢନ୍ତୁ :- ଗଣେଶପୂଜା ଭସାଣି ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ