ଭୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ଉପକୂଳକୁ ମାଡ଼ିଆସୁଛି ବାତ୍ୟା ‘ଦାନା’। ଓଡିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଯେକୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟାର ରାଡାରରେ ପୁରୀ ଆସୁଥିବାରୁ ଏହାକୁ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ତେଣୁ ପୁରୀରେ ଥିବା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ରାଜ୍ୟ ସରକାର ପରାମର୍ଶ ଜାରି କରିଛନ୍ତି।
ବାତ୍ୟା ଆସୁଥିବାରୁ ପୁରୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଛି।୨୩ ତାରିଖ ରାତି ପୂର୍ବରୁ ପୁରୀରେ ଥିବା ଭକ୍ତ ଓ ବାହାର ଲୋକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖରେ ପୁରୀ ନ ଯିବାକୁ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅପିଲ୍ କରାଯାଇଛି। ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ।
ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେହିଭଳି ପୁରୀରେ ଥିବା ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୁରେଶ ପୂଜାରୀ।
ସୂଚନାଯୋଗ୍ୟ ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ। ପରେ ଏହା ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ଏହା ୨୪ ରାତି କିମ୍ବା ୨୫ ସକାଳେ ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିପାରେ ।