ପୁରୀ : ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ହୋଇଥିଲା । ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଜି ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ପ୍ରଦାନ କରାଯାଇଛି । ରାଜପ୍ରାସାଦ ବିଜେ ନୀତି ଭାବେ ପ୍ରଥମ ଖବର ନେଇ ରାଜନଅର ଯାଇଛନ୍ତି ସେବାୟତ ।
ପରମ୍ପରା ମୁତାବକ, ମହାପ୍ରଭୁଙ୍କ ସୁସ୍ଥତା ଖବର ନେଇ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ରୁପା ଥାଳିରେ ଶ୍ରୀଚନ୍ଦନ, କରାଳ ଚନ୍ଦନ ଓ ପାଟଡୋର ଆଦି ସଜାଇ ପାଟପଟୁଆରରେ ଶ୍ରୀନଅର ପହଞ୍ଚିବା ପରେ ଏସବୁ ଦିବ୍ୟ ପଦାର୍ଥକୁ ଗଜପତିଙ୍କୁ ଭେଟି କରି ସୁସମ୍ବାଦ ଦିଆଯାଇଛି । ଆସନ୍ତା କାଲି ତ୍ରୟୋଦଶୀ ତିଥିରେ ଖଳି ଓ ଖଡିଲାଗି ନୀତି ହେବ। ପରଦିନ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ।
ଆସନ୍ତା ୨୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ତିନି ରଥରେ ବସି ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଗହଣରେ ମାଉସୀ ଘରକୁ ଯିବେ ଦାରୁ ଦିଅଁ । ଏଥିପାଇଁ ଜୋରସୋର୍ରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।