ଭୁବନେଶ୍ୱର : ବିଶ୍ୱକପ୍ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି ।
ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିବା ପରେ ଏହି ଟିମର୍ ଫେରି ଆସିଥିବା ୪ ଓଡିଆ ଖେଳାଳିଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ସମ୍ବର୍ଦ୍ଧିିତ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।
ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ମଙ୍ଗ ଧରିଥିବା ୪ ଓଡିଆ ଖେଳାଳୀ ହେଉଛନ୍ତି ଫୁଲ ସାରେନ୍, ବାସନ୍ତୀ ହାଁସଦା, ଯମୁନାରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି । ଏହି ଚାମ୍ପିଅନ୍ ଟିମ୍ ସୋମବାର ଓଡିଶା ଫେରିଛନ୍ତି । ସେମାନଙ୍କ ସହ ତାଙ୍କ ମେଂଟର ଜାଫର ଇକବାଲ୍ ମଧ୍ୟ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଫେସର ନାୟକ ଏହି ଖେଳାଳୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଚା ଜଣାଇବା ସହ ସେମାନଙ୍କର ଆହୁରି ଉତରୋତର ଉନ୍ନତି କାମନା କରିଛନ୍ତି ।
ସୋଆ ଦ୍ୱାରା ଏପରି ସମ୍ବର୍ଦ୍ଧନା ଏବଂ ଆର୍ଥିକ ପୁରସ୍କାର ପ୍ରଦାନ ସେମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି ବୋଲି ଖେଳାଳୀମାନେ କହିଛନ୍ତି । ଏଥି ନିମନ୍ତେ ଖେଳାଳୀ ଓ ତାଙ୍କ ମେଂଟର ପ୍ରଫେସର ନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।